Categories: ଖେଳ

କୋହଲି ଜଣେ ରନ୍‌ ମେଶିନ: ଲାରା

ନଭି ମୁମ୍ବାଇ, ୫।୭(ପି.ଟି.)- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ରନ୍‌ ମେଶିନ ବୋଲି ଆଖ୍ୟା ଦେଇଛନ୍ତି। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଲାରାଙ୍କ ଫେଭରାଇଟ୍‌ ରହିଥିଲେ ମଧ୍ୟ ସମୟ ବଦଳିବା ସହ ବର୍ତ୍ତମାନ ଯୁଗରେ କୋହଲି ଶ୍ରେଷ୍ଠ ବୋଲି ଲାରା କହିଛନ୍ତି। ‘ସେ (କୋହଲି) ଜଣେ ରନ୍‌ ମେଶିନ। କିନ୍ତୁ ସଚିନ ମୋ ପସନ୍ଦ ହୋଇଥିବାରୁ ତାଙ୍କୁ କ୍ଷମା ମାଗିବାକୁ ଚାହୁଁଛି’ ବୋଲି ଡ. ଡି.ଓ୍ବାଇ. ପାଟିଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ଲାଭ କରିବା ପରେ ଲାରା ଏହା ପ୍ରକାଶ କରିଛନ୍ତି। ଏଥିସହ ଏହି ମହାନ ଓ୍ବେଷ୍ଟଇଣ୍ଡିଜ ବାମହାତୀ ବ୍ୟାଟ୍ସମ୍ୟାନ କହିଛନ୍ତି, ‘କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ କୋହଲି ଓ ବିଶ୍ୱର ବଳକା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବଡ଼ ଦୂରତା ରହିଛି। ରୋହିତ୍‌ ଶର୍ମା ଚଳିତ ବିଶ୍ୱକପ୍‌ରେ ୪ ଶତକ ହାସଲ କରିପାରିଥାନ୍ତି, ଜନି ବେୟାରଷ୍ଟୋର କିମ୍ବା ଅନ୍ୟ କେହି ହୁଅନ୍ତୁ ଯଦି କେହି ଟି୨୦, ଟି୧୦, ୧୦୦ ବଲ୍‌ କ୍ରିକେଟ୍‌ କିମ୍ବା ଟେଷ୍ଟରେ ଆଜିର ଦିନରେ ବ୍ୟାଟିଂ କରିପାରିବ ସେ ହେଉଛନ୍ତି କେବଳ ବିରାଟ କୋହଲି’। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୨,୩୫୮ ରନ ସଂଗ୍ରହ କରିଥିବା ଲାରା ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆଜି ଯଦି ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ତେବେ ଏହାର କାରଣ ହେଉଛନ୍ତି ସଚିନ। ଯିଏକି ପ୍ରାରମ୍ଭରୁ ସେମାନଙ୍କୁ ଆତ୍ମବିଶ୍ୱାସ ଦେଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଯେତେବେଳେ ଘରୋଇ ପରିବେଶ ଛାଡ଼ି ବାହର ପିଚ୍‌ରେ ଖେଳୁଥିଲେ ସେମାନେ ବିଫଳ ହେଉଥିଲେ। କିନ୍ତୁ ସଚିନ ସମସ୍ତ ପିଚ୍‌ରେ ସର୍ବଦା ଭଲ ଖେଳୁଥିଲେ। ମୁଁ ଭାବୁଛି ତାଙ୍କ (ସଚିନ) ବହିରୁ ଅନ୍ୟମାନେ ଗୋଟିଏ ଗୋଟିଏ ଲେଖାଏ ପୃଷ୍ଠା ନେଇଛନ୍ତି’ ବୋଲି ଏହି ପ୍ରାକ୍ତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ କହିଛନ୍ତି।

Share