କୋହଲି, ବୁମରାଙ୍କୁ ମିଳିବ ବିଶ୍ରାମ

ନୂଆଦିଲ୍ଲୀ,୨୩ା୬: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ସୀମିତ ଓଭର କ୍ରିକେଟ ସିରିଜ୍‌ରୁ ବିଶ୍ରାମ ଦିଆଯିବ। ଏହି ସିରିଜ୍‌ ୟୁନାଇଟେଡ୍‌ ଷ୍ଟେଟ୍ସ ଅଫ୍‌ ଆମେରିକାରେ ଅଗଷ୍ଟ ୩ ତାରିଖରୁ ଖେଳାଯିବ। ଦିନିକିଆ ଓ ଟି୨୦ ସିରିଜ୍‌ ପରେ କୋହଲି ଓ ବୁମରା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଦଳକୁ ଫେରିବେ, ଯାହାକି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ। କୋହଲି ଓ ବୁମାରଙ୍କୁ ୩ ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ରୁ ବିଶ୍ରାମ ଦିଆଯିବ। ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ଠାରୁ କ୍ରମାଗତ ଖେଳୁଛନ୍ତି। ସେହିଭଳି ବୁମରାଙ୍କ କାର୍ଯ୍ୟଭାର ବୃଦ୍ଧି ପାଇଛି। ଉଭୟ ଖେଳାଳି ଟେଷ୍ଟ ସିରିଜ୍‌ ପୂର୍ବରୁ ଦଳରେ ଯୋଗଦେବେ ବୋଲି ସିନିିୟର ବିସିସିଆଇ ଅଫିସିଆଲ କହିଛନ୍ତି। ବ୍ୟସ୍ତବହୁଳ ବିଶ୍ୱକପ୍‌ ପରେ ଦଳର ଆଉ କିଛି ଖେଳାଳଙ୍କୁ ମଧ୍ୟ ବିଶ୍ରାମ ଦିଆଯିବ। କାରଣ ଭାରତୀୟ ଦଳ ଏବେ ୪ ବିଜୟ ସହ ସେମିଫାଇନାଲ ଖେଳିବା ପ୍ରାୟତଃ ନିଶ୍ଚିତ କରିସାରିଛି। ଦଳ ଫାଇନାଲକୁ ଉନ୍ନୀତ ହେବାରେ ସଫଳ ହେଲେ ସମସ୍ତ ଖେଳାଳି ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳିବେ। ଏଣୁ ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ଯଥେଷ୍ଟ ବିଶ୍ରାମ ଦରକାର। ଏ ସମ୍ପର୍କରେ ବିସିସିଆଇ ଅନୁରୋଧ କ୍ରମେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଟେଷ୍ଟ ସିରିଜ୍‌କୁ ଟି୨୦ ଓ ଦିନିକିଆ ସିରିଜ୍‌ ପରେ ଆୟୋଜନ କରିବାକୁ ରାଜି ହୋଇଛି। ଟେଷ୍ଟ ସିରିଜ୍‌ ପୂର୍ବରୁ ମାୟଙ୍କ ଅଗ୍ରଓ୍ବାଲା, ପୃଥ୍ବୀ ଶ, ହନୁମା ବିହାରୀ ସେଠାରେ ଏ’ ଶ୍ରେଣୀ ମ୍ୟାଚ୍‌ ଖେଳିବେ। କ୍ରୁନାଲ ପାଣ୍ଡ୍ୟା, ଶ୍ରେୟାସ ଆୟାର, ରାହୁଲ ଚହର, ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ଟି୨୦ ଦଳରେ ସୁଯୋଗ ଦିଆଯିବ।

Share