Categories: ଖେଳ

କୋହଲି, ରାହାନେଙ୍କ ଅର୍ଦ୍ଧଶତକ: ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଅଧିନାୟକ ବିରାଟ କୋହଲି ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ସ୍ଥିତି ଦୃଢ଼ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ପ୍ରଥମ ଇନିଂସରେ ୯୬.୪ ଓଭରରେ ୨୯୭ ରନକରି ଅଲଆଉଟ୍‌ ହୋଇଥିଲ। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ୭୪.୨ ଓଭରରେ ୨୨୨ ରନ କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୭୫ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୭୨ ଓଭରରେ ୩ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଛି। ଫଳରେ ଭାରତ ୭ ଉଇକେଟ ବାକି ରଖି ମୋଟ ଉପରେ ୨୬୦ ରନର ଅଗ୍ରଣୀ ହାସଲ କରି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ଆଣିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୫୧ ଓ ରାହାନେ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଓପନର ଲୋକେଶ ରାହୁଲ ୩୮, ମୟଙ୍କ ଅଗ୍ରଓ୍ବାଲ ୧୬, ଚେତେଶ୍ୱର ପୂଜାର ୨୫ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ରୋଷ୍ଟନ ଚେଜ ୨ ଓ କେମର ରୋଚ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୮୯/୮ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଜାସନ ହୋଲ୍ଡର ୧୦ ଓ ମିଗୁଏଲ କୁମିନ୍ସ ବିନା ସ୍କୋରରୁ ଖେଳ ଆରମ୍ଭ କରିଥିଲେ। ତେବେ ଏହି ଦୁଇ ବ୍ୟାଟ୍ସମ୍ୟାନ ଦୀର୍ଘ ସମୟଧରି ବ୍ୟାଟିଂ କରିବା ସହ ନବମ ଉଇକେଟରେ ୪୧ ରନ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଏହି ଯୋଡି ଭାଙ୍ଗିବାକୁ ଭାରତକୁ ୧୦୫ଟି ବଲ୍‌ ଆବଶ୍ୟକ କରିଥିଲା। ହୋଲ୍ଡର ୬୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ସହ ୩୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ମହମ୍ମଦ ସାମିଙ୍କ ଅଫଷ୍ଟମ୍ପ ବାହାର ବଲକୁ ଖେଳିବାକୁ ହୋଲ୍ଡର ପ୍ରୟାସ କରିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଉଇକେଟକିପର ରିଷଭ ପନ୍ତ କ୍ୟାଚ୍‌ ଧରିବାରେ ତ୍ରୁଟି କରି ନ ଥିଲେ। ସାମି ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଏହାପରେ କୁମିନ୍ସ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହେବା ପରେ ଓ୍ବେଷ୍ଟଇଣ୍ଡିଜ ଅଲଆଉଟ ହୋଇଥିଲା। କୁମିନ୍ସ ଆଶ୍ଚର୍ଯ୍ୟଜନକ ଭାବେ ୪୫ଟି ବଲ୍‌ ଖେଳିଥିଲେ ମଧ୍ୟ ଖାତା ଖେଳିପାରି ନ ଥିଲେ। ସାନନ୍‌ ଗାବ୍ରିଏଲ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଇଶାନ୍ତ ଶର୍ମା ସର୍ବାଧିକ ୫ ଉଇକେଟ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମି ଓ ଜଡେଜା ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୯୬.୪ ଓଭରରେ ୨୯୭ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୨୨ ଅଲଆଉଟ
(ଚେଜ୍‌- ୪୮, ହୋଲ୍ଡର- ୩୯, ହେଟମେୟର- ୩୫, ହୋପ୍‌- ୨୪, କ୍ୟାମ୍ପବେଲ- ୨୩, ଇଶାନ୍ତ- ୫/୪୩, ସାମି- ୨/୪୮, ଜାଡେଜା- ୨/୬୪, ବୁମ୍‌ରା- ୧/୫୫)।
ଭାରତ ଦ୍ୱିତୀୟ ଇନିଂସ-୭୨ ଓଭରରେ ୧୮୫/୩
(କୋହଲି- ୫୧ *, ରାହାନେ- ୫୩* , ରାହୁଲ- ୩୮, ମୟଙ୍କ- ୧୬, ପୂଜାରା- ୨୫, ଚେଜ୍‌- ୨/୬୯, ରୋଚ୍‌- ୧/୧୮)।

Share