କୋହଳ ପରେ ଗହଳି

ଅନୁଗୋଳ ଅଫିସ, ୫।୫

ଅନୁଗୋଳ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଦ ଦୋକାନକୁ ଅନୁମତି ମିଳିନାହିଁ। ପ୍ରଶାସନ ଏ ନେଇ ରବିବାର ଘୋଷଣା କରିବା ପରେ ଅନୁଗୋଳ ବଜାରରେ ଭିଡ଼ ବଢ଼ିଯାଇଥିଲା। ଏପରି କି କେତେକ ସ୍ଥାନରେ ସାମାଜିକ ଦୂରତ୍ୱ ରହି ନ ଥିବାବେଳେ ଅନେକ ଲୋକ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖାଯାଇଥିଲା।
ସକାଳୁ ସହରରେ ପ୍ରବଳ ଗହଳି ଆରମ୍ଭ ହୋଇଯାଇଥିଲା। ଏତେ ସଂଖ୍ୟକ ଲୋକ ବଜାର ଆସିଥିଲେ ଯେ ଗାଡ଼ି ରଖିବାକୁ ଦୋକାନ ଆଗରେ ସ୍ଥାନ ମିଳି ନ ଥିଲା। ବାଧ୍ୟ ହୋଇ ଲୋକେ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିଥିଲେ। ଏପରି ଭିଡ଼ ଯୋଗୁ ବହୁ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ପାଳନ ହୋଇ ନ ଥିଲା। ସେହିପରି ମାସ୍କ ପିନ୍ଧି ନ ଥିବା ଲୋକଙ୍କ ନିକଟରୁ ଅନୁଗୋଳ ପୋଲିସ ଜରିମାନା ଆଦାୟ କରିଥିଲା। କଟକଣା କୋହଳ ହୋଇଥିଲେ ବି ପୂର୍ବଭଳି ସିନେମା ହଲ୍‌, ଶପିଂ ମଲ୍‌, ସ୍ପୋଟର୍‌ସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ। ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ପାଠ୍ୟ ସମ୍ବନ୍ଧୀୟ, ସାଂସ୍କୃତିକ, ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି। ସେହିପରି ଜିଲା ଭିତରେ ଟାକ୍ସି, ଅଟୋରିକ୍ସା, କାର୍‌ ଓ ଦୁଇ ଚକିଆ ଯାନ ଚଳାଚଳ କରିହେବ। ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ପାର୍ସଲ ଦେଇପାରିବ। ରେଳ ଲାଇନ କାର୍ଯ୍ୟ ସହିତ ଜାତୀୟ ରାଜପଥ, ସରକାରୀ ଓ ବେସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିପାରିବ। ପାଇପ୍‌ ମିସ୍ତ୍ରି, ଇଲେକ୍ଟ୍ରିସିଆନ୍‌, କମ୍ପ୍ୟୁଟର ଯନ୍ତ୍ରାଂଶ ମରାମତି କରୁଥିବା ବ୍ୟକ୍ତି, ମୋଟର ସାଇକେଲ ମେକାନିକ୍‌ ଓ ବଢ଼େଇ ମଧ୍ୟ ଘରକୁ ଯାଇ କାମ କରିପାରିବେ। ରାଜ୍ୟ ବାହାରକୁ ଯିବାକୁ ଇଚ୍ଛୁକ ବ୍ୟକ୍ତି ସମ୍ପୃକ୍ତ ଉପଜିଲାପାଳଙ୍କ ଠାରୁ ଅନୁମତି ନେଇ ଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୦ ବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Share