କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା କରାଯାଇଛି। ଏହି ଘୋଷଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବ୍ୟବସାୟୀ ମହଲରେ ଖୁସି ଦେଖାଦେଇଛି। ବିଳମ୍ବରେ ହେଉ ବରଂ ସୋମବାର ଜଗତ୍‌ସିଂହପୁର ଜିଲାପାଳ କେଉଁ ଦୋକାନ ଉପରେ କଟକଣା ଓ କେଉଁଗୁଡିକ ଖୋଲା ରହିବ ସେ ସଂକ୍ରାନ୍ତରେ ସ୍ପଷ୍ଟ କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ ଚା’, ପାନ, ଗୁଟ୍‌ଖା, ତମାଖୁ, ଖାଦ୍ୟ ଷ୍ଟଲ, ଠେଲା ଫାଷ୍ଟ ଫୁଡ୍‌, ଉଠା ଦୋକାନ, ଅନୁମତି ନ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ, ବିଉଟି ପାର୍ଲର, ସେଲୁନ୍‌, ସ୍ପା, ଜିମ୍‌, ସ୍ବିମିଂ ପୁଲ୍‌, ଗହଣା, ରଙ୍ଗ, ପା୍ଲଏଉଡ୍‌ ଓ କପଡା ଦୋକାନ ସହ ଅନ୍ୟ ଖାଦ୍ୟ ଦୋକାନ ଯେଉଁଗୁଡିକ ଛେପ ପକାକୁ ପ୍ରୋତ୍ସାହିତ କରୁଛନ୍ତି ସେଗୁଡିକ ବନ୍ଦ ରହିବ। ଏଥିସହ ମଦ, ଗଞ୍ଜେଇ ଆଦି ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବ। କହିବାକୁ ଗଲେ ଯେଉଁ ଦୋକାନଗୁଡିକ ଓଡ଼ିଶା ସପ୍‌ ଏବଂ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜିକୃତ ହୋଇନାହିଁ ସେଗୁଡିକ ଖୋଲା ରହିବ ନାହିଁ। ସେହିପରି ସରକାରୀ ଜମି ଜବରଦଖଲରେ ଥିବା ଦୋକାନଗୁଡିକୁ ବନ୍ଦ କରାଯାଇଛି। କିନ୍ତୁ ଔଷଧ ଓ ଜରୁରୀ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିବ। ଯେଉଁ ଦୋକାନଗୁଡିକୁ ଅନୁମତି ମିଳିବ ସେଗୁଡିକ ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ଅନ୍ୟପକ୍ଷରେ ଓଡ଼ିଶା ଶପ୍‌ ଏବଂ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜିକୃତ ସମସ୍ତ ରେସିଡେନ୍ସିଆଲ କମ୍ପ୍ଲେକ୍ସ ଓ ମାର୍କେଟ୍‌ କମ୍ପ୍ଲେକ୍ସକୁ ଅନୁମତି ମିଳିବ ନାହିଁ। ଏକାଧିକ ବ୍ରାଣ୍ଡ କିମ୍ବା ଗୋଟିଏ ବ୍ରାଣ୍ଡ କାରବାର କରୁଥିବା ମଲ୍‌କୁ ବନ୍ଦ ପରିସରଭୁକ୍ତ କରାଯାଇଛି। ତେବେ ଯେଉଁଗୁଡିକ ଖୋଲା ରହିବ ସବୁଠି ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ବରିଷ୍ଠ ନାଗରିକ ଏବଂ ପିଲାମାନେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଦୋକାନଗୁଡିକ ଖୋଲିବ ସେଗୁଡିକ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବାକୁ ପ୍ରୋତ୍ସାହିତ କରାଯାଉଛି।

Share