କୋହଳ ହେଲା କିଛି କଟକଣା

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୨୦୫ଟିର ରିପୋର୍ଟ ଆସିଛି। ସମସ୍ତ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଜିଲାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଏହି କଟକଣାକୁ କୋହଳ କରାଯାଇଛି ବୋଲି ଜିଲାପାଳ ମନୀଷ ଅଗ୍ରଓ୍ବାଲ କହିଛନ୍ତି। ଡିଆର୍‌ଡିଏ ସଭାଗୃହରେ ଆୟୋଜିତ ଏକ ଖବରଦାତା ସମ୍ମିିଳନୀରେ ଜିଲାପାଳ ଏହି ସୂଚନା ଦେଇଛନ୍ତି। ଅଣସଂକ୍ରମଣ ଜିଲାରୁ କାମ କରିବାକୁ ଶ୍ରମିକ ଆସିଲେ ସେମାନଙ୍କୁ ଅନୁମତି ମିଳିବ। ଗ୍ରାମାଞ୍ଚଳର ବହି ଦୋକାନକୁ ଖୋଲିବା ପାଇଁ ସମୟ ନିର୍ଦ୍ଧାରଣ କରି ଅନୁମତି ପ୍ରଦାନ କରାଯିବ। ଚିନାବାଦାମ ଓ ମୁଗ ପାଇଁ ମଣ୍ଡି ବ୍ୟବସ୍ଥା କରାଯିବ। ମୋଟର ସାଇକେଲରେ ଜଣେ, କାର୍‌ରେ ବସିବା କ୍ଷମତାଠାରୁ ୩୦/୪୦ ପ୍ରତିଶତ ବସିଯାଇପାରିବେ। ସ୍ବାସ୍ଥ୍ୟକେନ୍ଦ୍ର ଯିବା ସମୟରେ ଅଳ୍ପ ଅଟୋ ରିକ୍ସାକୁ ଅନୁମତି ମିଳିବ। ତେବେ କରୋନା ସମ୍ପୂର୍ଣ୍ଣ ଭାବେ ଶେଷ ନ ହେବା ପର୍ଯ୍ୟନ୍ତ ଲକ୍‌ଡାଉନ କଟକଣା ଜାରିରହିବ। ସାମାଜିକ ଦୂରତା, ହାତ ଧୋଇବା, ମାସ୍କ ବ୍ୟବହାର ଜାରି କଟକଣା ବଳବତ୍ତର ରହିବ। କୃଷିକ୍ଷେତ୍ର ସହ ନିର୍ମାଣ କାର୍ଯ୍ୟ, ସାଇକେଲ ମରାମତି ଦୋକାନ, ସିମେଣ୍ଟ, କ୍ରଶର, ଗ୍ୟାରେଜ, କମ୍ପ୍ୟୁଟର ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜଳଖିଆ, ଠେଲା ଦୋକାନ ଓ ଅନ୍ୟାନ୍ୟ ଦୋକାନ ପାଇଁ ପୂର୍ବଭଳି ନିୟମ ବଳବତ୍ତର ରହଛି ବୋଲି ଜିଲାପାଳ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର, ଉପ ଜିଲାପାଳ ରାମେଶ୍ୱର ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅରୁଣ କୁମାର ପାଢ଼ୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ତହସିଲଦାର ଡା.ଗୁଣନିଧି ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share