Categories: ବାଣିଜ୍ୟ

କ୍ରମାଗତ ୧୧ ବର୍ଷ ଧରି ନିଜ ଦରମା ବଢ଼ାଇଲେନି ମୁକେଶ

ନୂଆଦିଲ୍ଲୀ,୨୧-୭: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ଧରି ନିଜ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜର ଦରମା ନ ବଢ଼ାଇ ୧୫ କୋଟି ଟଙ୍କାରେ ସ୍ଥିର ରଖିଛନ୍ତି। ତେବେ ଚଳିତବର୍ଷ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ ବର୍ଷରେ କମ୍ପାନୀର ଡାଇରେକ୍ଟରମାନଙ୍କର ବେଶ ଦରମା ବଢ଼ିଛି। ସେଥିରେ ତାଙ୍କର ନିକଟ ସମ୍ପର୍କୀୟ ନିଖିଲ ଓ ହିତଲ ମେସଓ୍ବାନୀ ମଧ୍ୟ ସାମିଲ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରୁ ଏହା ଜଣାପଡିଛି। ଆର୍‌ଆଇଏଲ୍‌ର ସିଏମ୍‌ଡି ଭାବେ ମୁକେଶ ଆର୍ଥିକ ବର୍ଷ ୨୦୧୮-୧୯ରେ ପାରିଶ୍ରମିକ ଓ ଉତ୍ତା ବାବଦରେ ୪.୪୫ କୋଟି ଟଙ୍କା ନେଇଛନ୍ତି। ୨୦୧୭-୧୮ରେ ଏହା ୪.୪୯ କୋଟି ଟଙ୍କା ଥିଲା। ୨୦୦୯ ଅକ୍ଟୋବରରୁ ମୁକେଶ ନିଜ ଦରମା ୧୫ କୋଟି ଟଙ୍କାରେ ସୀମିତ ରଖିବାକୁ ଘୋଷଣା କରିଥିଲେ। ସେବେ ଠାରୁ ସେ ଟଙ୍କାଟିଏ ମଧ୍ୟ ଅଧିକ ଦରମା ନେଉନାହାନ୍ତି। ଏଥିପୂର୍ବରୁ ସେ ବାର୍ଷିକ ୨୪ କୋଟି ଟଙ୍କା ଦରମା ନେଉଥିଲେ। ତାଙ୍କର କମିଶନ ୯.୫୩ କୋଟି ଟଙ୍କାରେ ସ୍ଥିର ରହିଥିଲା ବେଳେ ପରିଲବ୍ଧ ବାବଦରେ ତାଙ୍କୁ ୨୭ ଲକ୍ଷ ବଦଳରେ ୩୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ଅବସର ଲାଭ ବାବଦରେ ତାଙ୍କୁ ୭୧ ଲକ୍ଷ ଟଙ୍କା ମିଳିଛି। ଅନ୍ୟପକ୍ଷରେ ମୁକେଶଙ୍କଠାରୁ ତାଙ୍କ ଆତ୍ମୀୟ ନିଖିଲ ଆର୍‌.ମେସଓ୍ବାନୀ ଓ ହିତଲ ଆର.ମେସଓ୍ବାନୀଙ୍କ ପାରିଶ୍ରମିକ ଅଧିକ ରହିଛି। ସେମାନେ ପ୍ରତ୍ୟେକ ୨୦.୫୭ କୋଟି ଟଙ୍କା ଲେଖାଏ ପାରିଶ୍ରମିକ ପାଇଛନ୍ତି। କମ୍ପାନୀରେ ଅଣ କାର୍ଯ୍ୟନିର୍ବାହୀ ଡାଇରେକ୍ଟର ଭାବେ ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ପ୍ରତ୍ୟେକ ବୈଠକରେ ଯୋଗଦେବା ବାବଦରେ ୭ ଲକ୍ଷ ଟଙ୍କା ଲେଖାଏ ପାଇଛନ୍ତି। ପୂର୍ବ ବର୍ଷ ଏହା ୬ ଲକ୍ଷ ଟଙ୍କା ଥିଲା।

Share