କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

କେନ୍ଦୁଝର, ୭ା୧୧ (ସ୍ବ.ପ୍ର.)-ଘଟଗାଁ ବ୍ଲକ ଟେରାକୋଟା ଗ୍ରାମ ହଳଧରପୁରକୁ କ୍ରାଫ୍ଟ ଗ୍ରାମ ଭାବରେ ଅଭିବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଗ୍ରାମକୁ ଯିବା ପାଇଁ ଜାତୀୟରାଜପଥ ୨୦ କଡରେ ଥିବା ଟେରାକୋଟା ଗ୍ରାମ ବାଟହରିଚନ୍ଦନପୁରରେ (କଳା ଓ ସ୍ଥାପତ୍ୟ ପର୍ଯ୍ୟଟନ କେନ୍ଦ୍ର ) କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ବୁଧବାର ଏକ କମିଟି ଉକ୍ତ ଅଞ୍ଚଳ ଯାଇ ଅନୁଧ୍ୟାନ କରିଛି। ଏହି କମିଟିରେ ହ୍ୟାଣ୍ଡଲୁମ, ଟେକ୍ସଟାଇଲ ଓ ହ୍ୟାଣ୍ଡିକ୍ରାଫ୍ଟ ବିଭାଗର ଯୁଗ୍ମ ସଚିବ ବି.କେ.ପତି ଓ ହସ୍ତକଳା ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ଅଧିକାରୀ ସନାତନ ନାୟକ ପରିଦର୍ଶନ କରିଛନ୍ତି। କେନ୍ଦୁଝର (ଡିଆଇସି )ଜେନେରାଲ ମ୍ୟାନେଜର କୃଷ୍ଣଚନ୍ଦ୍ର ନାୟକ, ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ତଥା ଘଟଗାଁ ବିଡିଓ ଉପସ୍ଥିତ ଥିଲେ। ହଳଧରପୁର ହସ୍ତକଳା ଗ୍ରାମକୁ ନେଇ ବାଟହରିଚନ୍ଦନପୁର ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ କ୍ରାଫ୍ଟ ଟୁରିଜିମ ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିପାଇଁ ପାଖାପାଖି ୧ ଏକର ଜମି ଚିହ୍ନଟ କରାଯାଇଛି। ଏନେଇ ଭିତ୍ତିଭୂମିର ବିକାଶ କରିବା ପାଇଁ ୧ କୋଟି ଟଙ୍କା ଟଙ୍କା ଖର୍ଚ୍ଚ ହେବ। ଜିଲା ବାହାରୁ ଆସିଥିବା ଦେଶବିଦେଶ ପର୍ଯ୍ୟଟକଙ୍କୁ ଟେରାକୋଟା ସାମଗ୍ରୀ ବିଷୟରେ ଅବଗତ କରିବା ସହ ଏହି ସାମଗ୍ରୀର ନିର୍ମାଣ କଳା ବିଷୟରେ ଅବଗତ କରିବା ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ସେହିପରି ଟେରାକୋଟା ସାମଗ୍ରୀ ର ପ୍ରଦର୍ଶନ ପାଇଁ ସେଠାରେ ଟ୍ରେନିଂ କମ ଡିସପ୍ଲେ ସେଣ୍ଟର ପ୍ରତିଷ୍ଠା କରାଯିବ। ସେଠାରେ ଟରୋକୋଟା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ସାମଗ୍ରୀ ବିକ୍ରି କରିବା ବ୍ୟବସ୍ଥା ରହିବ। ଟୁରିଷ୍ଟ ଗାଇଡ ନିଯୁକ୍ତି ହେବେ। ସେମାନେ ପର୍ଯ୍ୟଟକ ଙ୍କୁ ହଳଧରପୁର କଳାଗ୍ରାମକୁ ନେଇ ବୁଲାଇଦେଖାଇବେ। ଏହା ଛଡା ଆଖପାଖରେ ଥିବା ପର୍ଯ୍ୟଟନ କେନ୍ଦ୍ର ସମ୍ବନ୍ଧରେ ଅବଗତ କରାଇବା ସହ ସହାୟତା କରିବେ। ଏନେଇ ଡିଆଇସି ଜିଏମ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ କ୍ରାଫ୍ଟ ଟୁରିଜିମ ର ବିକାଶ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ସ୍ଥାନୀୟ ଟେରାକୋଟା ଶିଳ୍ପୀମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ବିକ୍ରି କରି ଉପକୃତ ହୋଇପାରିବେ। ଏନେଇ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି ଯେ, ଜିଲାରେ ପ୍ରଥମ କରି ଟେରାକୋଟା କାରୁକାର୍ଯ୍ୟକୁ ପର୍ଯ୍ୟଟନର ମାନ୍ୟତା ଦେଇ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି।