Categories: ଖେଳ

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ଅଶ୍ୱିନ

ବିଶାଖାପାଟଣା,୫।୧୦(ପି.ଟି.)- ଭାରତୀୟ ଅଭିଜ୍ଞ ସ୍ପିନର ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନ କରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରିଛନ୍ତି। ଗତବର୍ଷ ଡିସେମ୍ବରରେ ସେ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ପାଖାପାଖି ୧୦ ମାସ ଧରି ସେ କ୍ରିକେଟରୁ ଦୂରେଇ ରହିଥିଲେ। କ୍ରିକେଟରୁ ଦୂରେଇ ରହିବା କଷ୍ଟକର ବୋଲି ସେ କହିଛନ୍ତି। ୨୦୧୭ ଜୁଲାଇ ପରଠାରୁ ସେ କେବଳ ଟେଷ୍ଟ ଫର୍ମାଟ୍‌ରେ ଖେଳ ଜାରି ରଖିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଅନ୍ତିମ ଏକାଦଶରେ ସ୍ଥାନ ନ ମିଳିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି। ଭାରତ ଏହି ସିରିଜରେ କେବଳ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇଥିଲା।
ଜାତୀୟ ଦଳରୁ ବାଦ୍‌ ପଡିବା ପରେ କାଉଣ୍ଟି ଦଳ ନଟିଂହାମ୍ପିସାୟର ପାଇଁ ଯେଉଁ ଫର୍ମାଟରେ ସୁଯୋଗ ମିଳିଥିଲା ତାହା ଖେଳିଥିଲି। ଏପରି କି ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ମଧ୍ୟ ଯେତେ ସମ୍ଭବ ଖେଳିଥିଲି। ଚେନ୍ନାଇରେ ଲିଗ୍‌ କ୍ରିକେଟ ମଧ୍ୟ ଖେଳିଛି। ଯେଉଁଠାରୁ ଆସିଛି ସେଠାକୁ ଫେରି ପୁଣି ଖେଳିବଳାର ଅନୁଭୂତି ନିଆରା ବୋଲି ଅଶ୍ୱିନ କହିଛନ୍ତି। ଜାତୀୟ ଦଳରୁ ବାଦ୍‌ ପଡିବା ଓ କେବଳ ଗୋଟିଏ ଫର୍ମାଟ୍‌ରେ ସୀମିତ ରହିବା ନିଶ୍ଚିତ ଭାବେ ନିରାଶ କରିଛି। ତେବେ ପ୍ରାୟ ସବୁ କ୍ରିକେଟର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗତ ୨୫ ବର୍ଷ ହେବ କ୍ରିକେଟ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ରହିଆସିଛି। କ୍ରିକେଟରୁ ଦୂରେଇ ରହିବା ବେଳେ ପ୍ରତ୍ନତତ୍ତ୍ୱ ବହିଗୁଡିକ ପଢ଼ିବାରେ ମନୋନିବେଶ କରିଥାଏ। ଅଶ୍ୱିନ୍‌ ଫିଟ୍‌ନେସ କାରଣରୁ ଗତ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ। ଆଘାତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିଥାଏ। ଇଂଲଣ୍ଡରେ କାଉଣ୍ଟି ଖେଳିବା ବେଳେ ସେ ଦକ୍ଷିଣ ଆଫ୍ରିକା ଓପନର ଡିନ୍‌ ଏଲଗାରଙ୍କୁ ଆଉଟ କରିଥିଲେ। ତେବେ ଚଳିତ ଟେଷ୍ଟରେ ସେ ଏଲଗାରଙ୍କୁ ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିଲେ।
ପ୍ରତ୍ୟାବର୍ତ୍ତନ କରିବା ପରେ ୫ ଉଇକେଟ ହାସଲ କରିବା ନିଶ୍ଚିତ ଭାବେ ଖୁସି କଥା। ନଟିଂହାମ୍‌ରେ ମଧ୍ୟ ୫ ଉଇକେଟ ହାସଲ କରିଥିଲି। କ୍ରିକେଟ ଖେଳିବାକୁ ମୁଁ ଉପଭୋଗ କରିଥାଏ। ଚଳିତ ଟେଷ୍ଟରେ ଏଲଗାର ଓ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ଏହା ଏକ ଉତ୍କୃଷ୍ଟମାନର ଟେଷ୍ଟ ପିଚ୍‌। ପ୍ରଥମ ସେସନରେ ଆମେ ଅଧିକ ରନ ବ୍ୟୟ କରିଥିଲୁ। ତେବେ ଅନ୍ତିମ ସେସନରେ ଆମେ ପ୍ରତ୍ୟାବର୍ତ୍ତନ କରିଥିଲୁ ବୋଲି ଅଶ୍ୱିନ କହିଛନ୍ତି।

Share