Categories: ଖେଳ

ଫିଲ୍ମରେ ଖେଳୁଥିଲେ କ୍ରିକେଟ, ଏବେ ଆଇପିଏଲ୍‌ରେ ଖେଳିବେ

ନୂଆଦିଲ୍ଲୀ,୨୧।୧୨- ବଲିଉଡ ଫିଲ୍ମ ‘କାଇ ପୋ ଚେ’ ୨୦୧୩ରେ ରିଲିଜ ହୋଇ ସଫଳ ମଧ୍ୟ ହୋଇଥିଲା। ସେଥିରେ କ୍ରିକେଟ ପାଗଳ ଅଲି ଭୂମିକାରେ ଥିଲେ ଦିଗବିଜୟ ଦେଶମୁଖ ରେଡ୍ଡୀ। ରିଲ ଭଳି ରିୟଲରେ ମଧ୍ୟ କ୍ରିକେଟର ହେବା ତାଙ୍କ ସ୍ବପ୍ନ। ସେ ଆଇପିଏଲରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ୨୧ ବର୍ଷୀୟ ଦିଗବିଜୟଙ୍କୁ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ତାଙ୍କ ବେସ ପ୍ରାଇସ ଥିଲା ୨୦ ଲକ୍ଷ। ମୁଁ ଦିଗବିଜୟ କାଇ ପୋ ଚେ ଫିଲ୍ମରେ ଅଲି ଭୂମିକାରେ ଥିଲି। କିନ୍ତୁ ମୁଁ କଦାପି ଅଭିନେତା ହେବାକୁ ଚାହେଁନାହିଁ। ସର୍ବଦା କ୍ରିକେଟର ହୋଇ ରହିଥିଲି। ଏବେ ମୁଁ ଧୀରେ ଧୀରେ ନିଜ ସ୍ବପ୍ନ ପୂରା କରିବାକୁ ଯାଉଛି ବୋଲି ଦିଗବିଜୟ କହିଛନ୍ତି। ଚଳିତ ସିଜନର ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମହାରାଷ୍ଟ୍ର ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହି ପ୍ରତିଯୋଗିତାରେ ୭ ମ୍ୟାଚ୍‌ ଖେଳି ସେ ୯ ଉଇକେଟ ନେଇଥିଲେ। ଜମ୍ମୁ-କଶ୍ମୀର ବିପକ୍ଷ ପଦାର୍ପଣ ରଣ୍‌ଜୀ ମ୍ୟାଚ୍‌ରେ ସେ ୬ ଉଇକେଟ ନେବା ସହ ୮୩ ରନ୍‌ ସ୍କୋର କରିଛନ୍ତି। ୧୪ ବର୍ଷରୁ କମ୍‌ ସ୍କୁଲ ଟୁର୍ନାମେଣ୍ଟରେ ମୁଁ ଖେଳିବାକୁ ମୁମ୍ବାଇ ଯାଇଥିଲି, ସେଠାରେ ଉକ୍ତ ଫିଲ୍ମର ସହାୟକ ଡିରେକ୍ଟର ମୋତେ ଅଡିଶନ ଲାଗି ଚୟନ କରିଥିଲେ। ତା’ପରେ ମୋତେ ଚୟନ କରାଯାଇଥିଲା। ମୁଖ୍ୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ରାଜକୁମାର ରାଓଙ୍କ ସହ ବହୁ କ୍ରିକେଟ ଖେଳିଛି। ଫିଲ୍ମ ଯୋଗୁ ମୋତେ ଅଭିନେତା ହିସାବରେ ଚିହ୍ନନ୍ତି। କିନ୍ତୁ ମୁଁ ଚାହେଁ ମୋତେ କ୍ରିକେଟର ଭାବେ ଜାଣନ୍ତୁ। ଉକ୍ତ ଫିଲ୍ମ ପରେ ମୋତେ ବହୁ ବିଜ୍ଞାପନ ପ୍ରସ୍ତାବ ଆସିଥିଲା, ଯାହାକୁ ମୁଁ ମନା କରି ଦେଇଥିଲି। ମୋ ପରିବାରର ମଧ୍ୟ ସମର୍ଥନ ଥିଲା ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ ତାଙ୍କ ବୋଲିଂ ସ୍ପିଡ ୧୩୨-୧୩୪। ଉଭୟ ଦିଗରେ ବଲ ସୁଇଙ୍ଗ କରାଇବାର ଦକ୍ଷତା ମଧ୍ୟ ତାଙ୍କର ରହିଛି।

Share