ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍ ନିୟମ କୁହାଯାଏ। ତେବେ ଏହି ନିୟମ କେବେ ଏବଂ କାହିଁକି ବାହାର କରାଯାଏ ତାହା ଜାଣନ୍ତି କି?
ଡକଓ୍ବର୍ଥ ଲୁଇସ୍ ନିୟମର ଆବିଷ୍କାର ପ୍ରଥମେ ପରିସଂଖ୍ୟାନ ବିଶେଷଜ୍ଞ ଫ୍ରାଙ୍କ୍ ଡର୍କଓ୍ବର୍ଥ ଏବଂ ଟୋନି ଲୁଇସ୍ କରିଥିଲେ। ତେଣୁ ଏହି ନିୟମର ନାମ ଡକଓ୍ବର୍ଥ ଲୁଇସ୍ ରଖାଯାଇଛି।
ଅନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମର ପ୍ରୟୋଗ ପ୍ରଥମେ ୧୯୯୬-୯୭ରେ ଜିମ୍ବାଓ୍ବେ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ କରାଯାଇଥିଲା। ଏହି ମ୍ୟାଚରେ ଜିମ୍ବାଓ୍ବେ ଦଳ ଡକଓ୍ବର୍ଥ ନିୟମ ଜରିଆରେ ୭ ଉଇକେଟରେ ବିଜୟ ହାସଲ କରିଥିଲା। ୧୯୯୯ରେ ଆଇସିସି ଦ୍ୱାରା ବର୍ଷା ପ୍ରଭାବିତ ଏକଦିବସୀୟ ମ୍ୟାଚ୍ର ଲକ୍ଷ୍ୟ ନିଦ୍ଧାରିତ ପାଇଁ ଆନୁଷ୍ଠାନିକ ଭାବେ ଡକଓ୍ବର୍ଥ ଲୁଇସ ନିୟମ ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଫ୍ରାଙ୍କ୍ ଡକଓ୍ବର୍ଥ ଓ ଟୋନି ଲୁଇସ୍ କାର୍ଯ୍ୟରୁ ଅବସର ନେବା ପରେ ଷ୍ଟିଭ୍ ଷ୍ଟର୍ନଙ୍କୁ ଡକଓ୍ବର୍ଥ ଲୁଇସ୍ ନିୟମର ସଂରକ୍ଷକ ନିଯୁକ୍ତ କରାଯାଇଥିଲା। ଫଳରେ ଡକଓ୍ବର୍ଥ ଲୁଇସ୍ ନିୟମ ବଦଳା ଯାଇ ଡକଓ୍ବର୍ଥ ଲୁଇସ୍ ଷ୍ଟର୍ନ ନାମରେ ନାମିତ କରାଯାଇଥିଲା।
ଡକୱର୍ଥ ଲୁଇସ ଷ୍ଟର୍ନ ନିୟମ ଅନୁଯାୟୀ, କ୍ରିକେଟ ଖେଳରେ ଉଭୟ ଦଳର ଯଥାସମ୍ଭବ ରନ ସ୍କୋର କରିବାର ଦୁଇଟି ମାଧ୍ୟମ ଅଛି – ଅବଶିଷ୍ଟ ଓଭର ଏବଂ ଅବଶିଷ୍ଟ ୱିକେଟ। ଦଳର ଦୁଇଟି ମ୍ୟାଚରେ ରନ ସ୍କୋର କରିବାର କ୍ଷମତା ଏହି ଦୁଇଟି ମାଧ୍ୟମ ଉପରେ ନିର୍ଭର କରେ। ଏହାକୁ ଆଧାର କରି ଫ୍ରାଙ୍କ ଡକୱର୍ଥ ଏବଂ ଟୋନି ଲୁଇସ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ମ୍ୟାଚର ବିଭିନ୍ନ ପର୍ଯ୍ୟାୟରେ ଦଳ ବ୍ୟାଟିଂ ପାଇଁ ଅବଶିଷ୍ଟ ଉପକରଣର କେତେ ପ୍ରତିଶତ ଅଛି।