Categories: ଖେଳ

କ୍ରିକେଟର ସମସ୍ତ ଫର୍ମାଟ୍‌ରୁ ମ୍ୟାକ୍‌କୁଲମଙ୍କ ଅବସର

ଅକ୍‌ଲାଣ୍ଡ, ୬।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। କାନାଡାରେ ଚାଲିଥିବା ‘ଗ୍ଲୋବାଲ ଟି୨୦ କାନାଡା’ ପ୍ରତିଯୋଗିତା ପରେ ସେ ଅବସର ନେବେ ବୋଲି ସୋମବାର ଘୋଷଣା କରିଛନ୍ତି। ପୂର୍ବରୁ ଏହି ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଥିଲେ। କିନ୍ତୁ ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ଟି୨୦ ଲିଗ୍‌ରେ ସେ ନିଜକୁ ସକ୍ରିୟ ରଖିଥିଲେ। ୩୭ ବର୍ଷୀୟ ମ୍ୟାକ୍‌କୁଲମ ଟେଷ୍ଟରେ ୧୦୧ ମ୍ୟାଚ୍‌ ଖେଳି ୬୪୫୩ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧୨ ଶତକ ରହିଥିବାବେଳେ ୩୦୨ ରନ୍‌ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ରହିଥିଲା। ସେହିଭଳି ୨୬୦ ଦିନିକିଆରୁ ସେ ୫ ଶତକ ସହ ୬୦୮୩ ରନ ଏବଂ ୭୧ ଟି୨୦ ମ୍ୟାଚ୍‌ରୁ ୨୧୪୦ ରନ ତାଙ୍କ ନାମରେ ଲିପିବଦ୍ଧ ରହିଛି। ସେହିଭଳି ବିଶ୍ୱର ବିଭିନ୍ନ ସ୍ଥାନରେ ସେ ମୋଟ୍‌ ୩୭୦ ଟି୨୦ ମ୍ୟାଚ୍‌ ଖେଳି ୯୯୨୨ ରନ ସଂଗ୍ରହ କରିଛନ୍ତି। ‘ଏହା ଗର୍ବ ଓ ସନ୍ତୁଷ୍ଟର କଥା କି ମୁଁ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଆଜି ଅବସର ଘୋଷଣା କରୁଛି। ୟୁରୋ ଟି୨୦ ସ୍ଲାମ ଟୁର୍ନାମେଣ୍ଟରେ ମଧ୍ୟ ଖେଳିବି ନାହିଁ ଏବଂ ଆୟୋଜକମାନେ ମୋ ନିଷ୍ପତ୍ତିକୁ ବୁଝିପାରିଥିବାରୁ ଓ ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବି’ ବୋଲି ମ୍ୟାଚ୍‌କୁଲମ ତାଙ୍କ ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ଆଇପିଏଲ୍‌ ପ୍ରଥମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମ୍ୟାକ୍‌କୁଲମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୭୩ ବଲରୁ ୧୫୮ ରନର ମାରାଥନ୍‌ ଇନିଂସ ଖେଳିଥିଲେ। ମ୍ୟାକ୍‌କୁଲମଙ୍କ ଏହି ବିଧ୍ୱଂସୀ ଇନିଂସକୁ କ୍ରିକେଟ୍‌ପ୍ରେମୀ ଆଜି ବି ଭୁଲି ପାରିନାହାନ୍ତି।

Share