Categories: ଖେଳ

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ ମିଳିବ। ଏଥର ବଲ୍‌ ଉପରେ ଏହାର ପ୍ରୟୋଗ କରାଯିବାକୁ ଯାଉଛି। ଆଗାମୀ ଦିନରେ ବଲ୍‌ରେ ମାଇକ୍ରୋଚିପ୍‌ ବ୍ୟବହାର କରିବାକୁ ଯୋଜନା ଚାଲିଛି, ଯାହାକୁ ‘ସ୍ମାର୍ଟ ବଲ୍‌’ର ଆଖ୍ୟା ଦିଆଯାଇଛି। ଅଷ୍ଟ୍ରେଲିଆରେ ଚଳିତ ସମରରେ ଖେଳାଯିବାକୁ ଥିବା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଏହି ବଲ୍‌ର ବ୍ୟବହାର ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଖବର ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମର ଖବର ମୁତାବକ ଅଷ୍ଟ୍ରେଲୀୟ ବଲ୍‌ ପ୍ରସ୍ତୁତକାରୀ କମ୍ପାନୀ ‘କୋକାବୁରା’ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଏହି ବଲ୍‌ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ବଲ୍‌ର ପରୀକ୍ଷଣ ଏବେ ଅନ୍ତିମ ଚରଣରେ ରହିଛି।
ସ୍ମାର୍ଟ ବଲ୍‌ରେ ଗତିର ତୀବ୍ରତା ମାପିବାର କ୍ଷମତା ରହିଛି। ଉଦାହରଣ ସ୍ବରୂପ ବୋଲର ହାତରୁ ବଲ୍‌ ରିଲିଜ ହେଲାପରେ ବଲ୍‌ର ତୀବ୍ରତା କେତେ ରହିଛି ଏବଂ ବାଉନ୍ସ ପୂର୍ବରୁ ଓ ବାଉନ୍ସ ପରେ ଏହା ମଧ୍ୟ ଜଣାପଡ଼ିବ। ନର୍ମାଲ ର଼୍ୟାଡର୍‌ଠାରୁ ଏହି ସ୍ମାର୍ଟ ବଲ୍‌ର ଗତି ଆକଳନ ଆହୁରି ସଠିକ୍‌ ରହିବ। ସ୍ପିନରଙ୍କ କ୍ଷେତ୍ରରେ ଏହା ମଧ୍ୟ ସମାନ କାମ କରିବ। ଏହି ସ୍ମାର୍ଟ ବଲ୍‌ ଅମ୍ପାୟରଙ୍କ ସମେତ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌) ନିଷ୍ପତ୍ତି ଗ୍ରହଣ କରିବାରେ ମଧ୍ୟ ସହାୟତା କରିବ। ବ୍ୟାଟ୍‌ ସହ ବଲ୍‌ର ସଂଯୋଗ ହୋଇଛି କି ନାହିଁ ଏବଂ କ୍ଲୋଜ କ୍ୟାଚ୍‌ବେଳେ ବଲ୍‌ ଭୂମିରେ ବାଜିଚି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିବ।

Share