ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଥିଲେ ଅନିଲ କୁମ୍ବଲେ। ଭାରତୀୟ ଦଳର ଏହି ପୂର୍ବତନ କୋଚ ଜଣେ ସ୍ପିନର୍ ଭାବେ ଭାରତ ପାଇଁ ଅନେକ ରେକର୍ଡ ହାସଲ କରିଛନ୍ତି। କିନ୍ତୁ ଜାଣିଛନ୍ତି କି କୁମ୍ବଲେ ପାଠପଢାରେ ମଧ୍ୟ ବେଶ ଭଲ ଥିଲେ। ସେ କ୍ରିକେଟକୁ ଆସିବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ। ରାଷ୍ଟୀୟ ବିଦ୍ୟାଳୟ କଲେଜ ଅଫ ଇଞ୍ଜିନିୟରିଂ, ବେଙ୍ଗାଲୁରୁରୁ ସେ ମେକାନିକାଲ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଡିଗ୍ରୀ ପରେ ତାଙ୍କ ଲକ୍ଷ ଲକ୍ଷ ଟଙ୍କାରେ ଚାକିରି ଅଫର୍ ମଧ୍ୟ ମିଳିଥିଲା। କିନ୍ତୁ କ୍ରିକେଟ୍ ନିଶା ଯୋଗୁ ସେ ଏହାକୁ ଛାଡିଥିଲେ। ପ୍ରଥମେ ଦ୍ରୁତ ବୋଲର୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ସ୍ପିନ ବୋଲିଂ କରି ସଫଳତା ଅର୍ଜନ କରିଥିଲେ। ୧୯୯୯ ମସିହା ଫେବୃଆରୀ ୭ରେ ଫିରୋଜଶାହ କୋଟଲା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ସେ ଗୋଟିଏ ଇନିଂଶରେ ୧୦ଟି ଉଇକେଟ ନେଇ ବିଶ୍ୱରେକର୍ଡ ହାସଲ କରିଥିଲେ। ସେ ଭାରତ ପାଇଁ ୧୩୫ଟି ଟେଷ୍ଟ ଖେଳି ୬୧୯ଟି ଉଇକେଟ ନେଇଥିବାବେଳେ ୨୭୧ଟି ଏକଦିବସୀୟ ମ୍ୟାଚରେ ୩୩୭ଟି ଉଇକେଟ ନେଇଛନ୍ତି।