Categories: ଖେଳ

କ୍ରିତିକାଙ୍କ ଭଲିବଲରୁ ତୀରନ୍ଦାଜୀ ଯାତ୍ରା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରିବାର ୨ ବର୍ଷ ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର କ୍ରିତିକା ଶର୍ମା ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ କ୍ରିତିକା ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମେଘୁଆ ପାଗରେ ଅନୁଷ୍ଠିତ ଫାଇନାଲରେ ୧୯ ବର୍ଷୀୟା କ୍ରିତିକା ୧୪୧-୧୩୭ ସ୍କୋରରେ ରାଗିନୀ ମାର୍କୋ (ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ, ଏମ୍‌ପି)ଙ୍କୁ ପରାସ୍ତ କରିଥିଲେ। ତୀରନ୍ଦାଜୀରେ ପ୍ରବେଶ କରିବା ପୂର୍ବରୁ କ୍ରିତିକା ଭଲିବଲ ଖେଳୁଥିଲେ। ‘ତୀରନ୍ଦାଜୀ ମୋର ପ୍ରଥମ ପସନ୍ଦ ଖେଳ ନ ଥିଲା। ବାପାଙ୍କ ପରି ଭଲିବଲ କିମ୍ବା ବ୍ୟାଡ୍‌ମିଣ୍ଟନ ଖେଳିବାକୁ ଚାହୁଁଥିଲି। ତେବେ ଆଜ୍‌ମେରରେ ଏହି ୨ଟି କ୍ରୀଡ଼ା ପାଇଁ କୌଣସି ସୁବିଧା ସୁଯୋଗ ଉପଲବ୍ଧ ନ ଥିଲା। କିନ୍ତୁ ଆର୍ଚେରୀ ପାଇଁ ଆଜମେରେ ବହୁତ ସ୍କୋପ୍‌ ରହିଥିଲା। ଏହାପରେ ବାପା ମୋତେ ତୀରନ୍ଦାଜୀ ଶିଖିବାରେ ଉତ୍ସାହିତ କରିଥିଲେ’ ବୋଲି ମଙ୍ଗଳବାର ସ୍ବର୍ଣ୍ଣିମ ସଫଳତା ପାଇବା ପରେ କ୍ରିତିକା ଏହା କହିଛନ୍ତି। ‘ପୂର୍ବରୁ ମୁଁ ଗୁଆହାଟୀରେ ଅନୁଷ୍ଠିତ ୟୁଥ୍‌ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲି। ସେଠାରେ ମୋର ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିଲି। କିନ୍ତୁ ଏଠାରେ ସ୍ବର୍ଣ୍ଣ ଜିତି ଖୁସି ଅନୁଭବ କରୁଛି। ଫାଇନାଲରେ ମୋର ମନୋବଳ ଦୃଢ଼ ରହିଥିଲା’ ବୋଲି ସେ କହିଛନ୍ତି। କ୍ରିତିକାଙ୍କ ଭଉଣୀ ପ୍ରେରଣା ମଧ୍ୟ ଜଣେ ତୀରନ୍ଦାଜ। ‘କ୍ରିତିକା ଓ ପ୍ରେରଣା ଉଭୟ ବହୁତ କଠିନ ପରିଶ୍ରମୀ। ତାଙ୍କ ଦକ୍ଷତା ଉପରେ ମୋର ଭରସା ରହିଛି। କ୍ରିତିକା ପୂର୍ବରୁ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିସାରିଛନ୍ତି। ସେହିଭଳି ପ୍ରେରଣା ମଧ୍ୟ ଜଣେ ଜାତୀୟସ୍ତରୀୟ ଖେଳାଳି’ ବୋଲି କ୍ରିତିକାଙ୍କ କୋଚ ତଥା ବାପା ବଦ୍ରି ବିଶାଳ ଶର୍ମା କହିଛନ୍ତି। ‘ଅନେକ ପିତାମାତାଙ୍କ ରକ୍ଷଣଶୀଳ ଚିନ୍ତାଧାରା ଥାଏ, କିନ୍ତୁ ମୁଁ ଏଥିରୁ ସମ୍ପୂର୍ଣ୍ଣ ଭିନ୍ନ। ମୋର ୫ ଝିଅ ଏବଂ ସମସ୍ତେ ଭଲ ପଢ଼ୁଛନ୍ତି। ସେମାନଙ୍କ ପାଇଁ ମୁଁ ଗର୍ବିତ। କ୍ରିତିକା ଓ ପ୍ରେରଣାକୁ ନିଜେ ହିଁ ପ୍ରଶିକ୍ଷଣ ଦେଇଛି ଏବଂ ସମସ୍ତ ଟୁର୍ନାମେଣ୍ଟରେ ସେମାନଙ୍କ ସହ ଯାଇଥାଏ’ ବୋଲି ବଦ୍ରି ଏହି ଅବସରରେ ପ୍ରକାଶ କରିଛନ୍ତି।

Share