Categories: ଖେଳ

କ୍ରିଷ୍ଣା ‘ଆଇଏସ୍‌ଏଲ ହିରୋ ଅଫ୍‌ ଦି ମନ୍ଥ୍‌’

ଗୁଆହାଟୀ, ୮ା୧୨ (ପି.ଟି.)- ଫିଜିର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ରୟ କ୍ରିଷ୍ଣା ‘ଆଇଏସଏଲ ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଲାଭ କରିଛନ୍ତି। ନଭେମ୍ବର ମାସରେ ଆଇଏସ୍‌ଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏଟିକେ ଟିମ୍‌ ତରଫରୁ ପ୍ରତିନିଧିତ୍ୱ କରୁଥିବା ଏହି ଖେଳାଳି ପୁରସ୍କାର ପାଇଁ ଜାମସେଦ୍‌ପୁର ଏଫ୍‌ସିର ସର୍ଗିଓ କ୍ୟାସେଲ, ଓଡ଼ିଶା ଏଫ୍‌ସିର ଆରିଡେନ୍‌ ସାଣ୍ଟାନା, ଏଫ୍‌ସି ଗୋଆର ମୋର୍ଟାଡା ଫଲ୍‌ ଏବଂ ବେଙ୍ଗାଲୁରୁ ଏଫ୍‌ସି ଗୋଲକିପର ଗୁର୍‌ପ୍ରୀତ୍‌ ସିଂ ସାନ୍ଧୁଙ୍କଠାରୁ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିବାକୁ ପଡ଼ିଥିଲା। ୩୨ ବର୍ଷୀୟ ଏହି ଖେଳାଳି ତିନୋଟି ମ୍ୟାଚରେ ସମାନ ସଂଖ୍ୟକ ଗୋଲ ସ୍କୋର କରିଥିଲେ। ତାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଏଟିକେ ନଭେମ୍ବର ମାସରେ ଅପରାଜେୟ ରହିଥିଲା। ଚଳିତ ସିଜନରେ ‘ହିରୋ ଅଫ୍‌ ଦି ମନ୍ଥ୍‌’ ପୁରସ୍କାର ଜିତିବାରେ କ୍ରିଷ୍ଣା ହେଉଛନ୍ତି ଦ୍ୱିତୀୟ ଏଟିକେ ଖେଳାଳି। କ୍ରିଷ୍ଣାଙ୍କ ଷ୍ଟ୍ରାଇକ୍‌ ପାର୍ଟନର ଡେଭିଡ୍‌ ଓ୍ବିଲିିୟମ୍ସ ଅକ୍ଟୋବରରେ ସମାନ ପୁରସ୍କାର ଜିତିଥିଲେ। ନଭେମ୍ବରରେ କ୍ରିଷ୍ଣାଙ୍କ ଆରମ୍ଭ ଖୁବ୍‌ ଚମତ୍କାର ଥିଲା। ଏଟିକେର ଘରୋଇ ଗ୍ରାଉଣ୍ଡ ସଲ୍‌ଟଲେକ୍‌ ଷ୍ଟାଡିୟମରେ ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚରେ ୨ଟି ଗୋଲ କରିବା ସହ ଜଣେ ସାଥୀ ଖେଳାଳିଙ୍କୁ ଗୋଲ ଦେବାରେ ସହାୟତା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ବାହାରେ ଓଡ଼ିଶା ଏଫ୍‌ସି ବିପକ୍ଷ ସଂଘର୍ଷପୂର୍ଣ୍ଣ ଡ୍ର’ ମ୍ୟାଚରେ ତାଙ୍କର ବିଶେଷ ଭୂମିକା ରହିଥିଲା। ନଭେମ୍ବରରେ ଘରୋଇ ଗ୍ରାଉଣ୍ଡରେ ସ୍ଥାନୀୟ ଦର୍ଶକଙ୍କ ଉପସ୍ଥିତିରେ ସେ ଆଉ ଏକ ଗୋଲ ସ୍କୋର କରିଥିଲେ। ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ମ୍ୟାଚ୍‌ରେ ୨-୧ ଗୋଲରେ ପଛୁଆ ରହିଥିବାବେଳେ କ୍ରିଷ୍ଣା ଏକ ଗୋଲ ସ୍କୋର କରି ମ୍ୟାଚକୁ ୨-୨ ସ୍ତରକୁ ନେଇ ଆସିଥିଲେ। ପୂର୍ବତନ ଏ’ ଲିଗ୍‌ ଟପ୍‌ ସ୍କୋରର ଓ୍ବେଲିଂଟନ ଫୋନିକ୍ସଙ୍କ ସହିତ ଲିଗ୍‌ର ଫ୍ୟାନ ଫେଭରାଇଟ୍‌ ପୁରସ୍କାର ଜିତିଛନ୍ତି। ଗୁଆହାଟୀଠାରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଏଟିକେ ୩-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ୩-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ସେ ଦୁଇଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ ପରେ ସେ ପୁରସ୍କୃତ ହୋଇଥିଲେ।

Share