Categories: ଫୁରସତ

କ୍ରିସ୍‌ମାସ୍‌ ରୋଜଗାର

ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି ବାଣ୍ଟିବା ଆଦିର ଅବସର ମଣିଷକୁ ଏହି ପର୍ବପର୍ବାଣି ତଥା ସାମାଜିକ ପରମ୍ପରା ସବୁ ପ୍ରଦାନ କରିଥାନ୍ତି । ଖାଲି ଯେ ଏହି ଅବସରରେ ଆମୋଦ ପ୍ରମୋଦ କରାଯାଏ ସେକଥା ନୁହେଁ; ଅଧିକନ୍ତୁ ଏହା ମଧ୍ୟ ଅନେକଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିଥାଏ। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନୁହେଁ; ଦେଶ କାଳ ପାତ୍ର ଭିତ୍ତିରେ ଏହି କଥାଟି ଯେ ଲାଗୁ ସେକଥାକୁ କେହି ବି ଅସ୍ବୀକାର କରିବ ନାହିଁ। ଏବେ ଦେଖାଯାଉ ମେଲବୋର୍ନର ଦୁଇଭଉଣୀ ଭେରୋନିକା ଜେଣ୍ଟାଇଲ୍‌ ଏବଂ ଜିଓଭାନା ଆଭାତିଙ୍କୁ। ଚଳିତବର୍ଷ ଡିସେମ୍ବର ୧ ତାରିଖ ପୂର୍ବରୁ ଏ ଦୁଇଭଉଣୀ ବେଶ ମୋଟା ଅଙ୍କର ରୋଜଗାର କରିପାରିଛନ୍ତି। କ୍ରିସମାସ୍‌ ହିଁ ସେମାନଙ୍କୁ ଏହି ସୁଯୋଗ ଆଣି ଦେଇଛି। ଭେରୋନିକା ଏକ ସ୍ଥାନୀୟ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ସେ ଖୁବ୍‌ ଭଲ କ୍ରିସ୍‌ମାସ୍‌ ଟ୍ରି ସଜେଇ ପାରନ୍ତି। ସେଥିଲାଗି ତାଙ୍କୁ ତାଙ୍କର ସାଙ୍ଗସାଥୀମାନେ ନିଜନିଜ ଘରକୁ ଡାକିଥାନ୍ତି। ଆଉ ସେ ଯାଇ ଆଗ୍ରହର ସହିତ ସେମାନଙ୍କ ଘରର କ୍ରିସ୍‌ମାସ୍‌ ଟ୍ରି ସଜେଇ ଦେଇଥାନ୍ତି। ତେବେ ଚଳିତବର୍ଷ ସେ ଗୋଟେ ନୂଆକଥା ଚିନ୍ତାକଲେ। ଭାବିଲେ, ସେ ମାଗଣାରେ କ୍ରିସ୍‌ମାସ୍‌ ଟ୍ରି ସଜାଉଛନ୍ତି ବୋଲି ବୋଧେ ଲୋକମାନେ ତାଙ୍କୁ ଡାକୁଛନ୍ତି। ତେଣୁ ସେ ଏଥିପାଇଁ କିଛି ଅର୍ଥ ଦାବି କରିବେ। ଆଉ ତାହା ହିଁ କଲେ। ତେବେ ମଜାର କଥା ତଥାପି ତାଙ୍କ ନିକଟକୁ କ୍ରିସ୍‌ମାସ୍‌ ଟ୍ରି ସଜେଇବାର ଅଫର ଆସିଲା। ଅଫର ଏତେ ଆସିଲା ଯେ, ସେ ତାଙ୍କ ସାନଭଉଣୀ ଜିଓଭାନାଙ୍କୁ ମଧ୍ୟ ନିଜ ସହିତ ସାମିଲ କଲେ। ସେତିକିନୁହେଁ, ଘଣ୍ଟା ଅନୁଯାୟୀ ସେମାନେ ଅର୍ଥ ଦାବି କରିଥିଲେ। ଘଣ୍ଟାକୁ ସେମାନେ ନେଉଥିଲେ ଭାରତୀୟ ମୁଦ୍ରାରେ ପାଖାପାଖି ଦେଢ଼ହଜାର ଟଙ୍କା। ଯଦିଓ ସେ ଦୁହେଁ ପେସାଦାର କ୍ରିସ୍‌ମାସ୍‌ ଟ୍ରି ଡିଜାଇନର ନୁହନ୍ତି; ତଥାପି ଏଥର କ୍ରିସ୍‌ମାସ୍‌ ସେମାନଙ୍କୁ ଖୁବ୍‌ ଭଲ ରୋଜଗାର ଦେଇଛି।

Share