Categories: ଖେଳ

କ୍ରୀଡ଼ାକ୍ଷେତ୍ରରେ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର,୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌ ୧୦ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଟେନିସ ତାରକା ସେରେନା ଓ୍ବିଲିୟମସ ଓ ଜିମ୍ନାଷ୍ଟିକ ସିମୋନ ବାଇଲସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟଓ୍ବର୍କ ଆଇସ୍ପୋର୍ଟକନେକ୍ଟ ପକ୍ଷରୁ ଗୁରୁବାର ଚଳିତ ବର୍ଷର କ୍ରୀଡ଼ାରେ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ପ୍ରଥମେ ୨୫ ଜଣଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ବିଶେଷଜ୍ଞ କମିଟିର ମତାମତ ଅନୁଯାୟୀ ଟପ୍‌ ୧୦ ମହିଳାଙ୍କୁ ବଛାଯାଇଛି। ବିଶେଷଜ୍ଞ କମିଟିରେ ଟେଲଷ୍ଟ୍ରାର ଗ୍ଲୋବାଲ ସେଲସ୍‌ ହେଡ୍‌ ଆନ୍ନା ଲକଉଡ, ଓ୍ବାଇ ସ୍ପୋଟର୍‌ସ ମ୍ୟାନେଜିଂ ପାର୍ଟନର ତଥା ଓମେନ ଇନ ସ୍ପୋଟର୍‌ସର ପୂର୍ବତନ ଅଧ୍ୟକ୍ଷା ସେଲି ହାଙ୍କକ୍‌, ଆଇସିସି ପାଇଁ ଗଣମାଧ୍ୟମ ସ୍ବତ୍ୱଧିକାରର ପୂର୍ବତନ ମୁଖ୍ୟ ଆରତି ଦେବାସ ଓ ଆଇସ୍ପୋଟର୍‌ସକନେକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରଣୀ ବର୍ମା ସଦସ୍ୟା ଥିଲେ। ଆଇସ୍ପୋଟର୍‌ସସକନେକ୍ଟର ପକ୍ଷରୁ ନୀତିଙ୍କ ସମ୍ପର୍କରେ କୁହାଯାଇଛି, ନୀତାଙ୍କ ନେତୃତ୍ୱରେ ମୁମ୍ବାଇ ଫ୍ରାଞ୍ଚାଇଜ ଆଇପିଏଲର ସବୁଠୁ ସଫଳ ଦଳ ହୋଇପାରିଛି ଓ ସେ ଦେଶର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ସହ ଜଡ଼ିତ। ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌ ୧୦ ମହିଳାଙ୍କ ତାଲିକାରେ ଜିମ୍ନାଷ୍ଟିକ ସିମୋନ ବାଇଲସ, ଫୁଟବଲ ଖେଳାଳି ମେଗାନ ରାପିନୋ, କିମ୍ବଦନ୍ତୀ ଟେନିସ ଖେଳାଳି ସେରେନା ଓ୍ବିଲିୟମସ, ନାଓମି ଓସାକା, ଫର୍ମୁଲା ଓ୍ବାନ ବିପଣନ ଓ ଯୋଗାଯୋଗ ନିର୍ଦ୍ଦେଶିକା ଏଲି ନୋରମାନ, ଡବ୍ଲ୍ୟୁଏନ୍‌ବିଏ କମିଶନର କ୍ୟାଥି ଏଞ୍ଜେଲବର୍ଟ, ଫିଫା ସାଧାରଣ ସମ୍ପାଦକ ଫାତମା ସାମୋଉରା, ପାରା ଅଲିମ୍ପିକ୍ସର ସିଇଓ ମେରି ଡେଭିସ ଓ ମହିଳା କ୍ରିକେଟ ଇସିବିର ପରିଚାଳନା ନିର୍ଦ୍ଦେଶିକା କ୍ଲୋୟାର କନୋର। ନୀତା ଅମ୍ବାନି ୨୦୧୪ ଜୁନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୋର୍ଡରେ ସାମିଲ ହୋଇଥିଲେ। ତାଙ୍କ ମାଲିକାନାରେ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲ ଚାମ୍ପିୟନ ହୋଇଛି। ଆଇସ୍ପୋଟର୍‌ସସକନେକ୍ଟର ତରଫରୁ ପ୍ରକାଶ କରାଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜଙ୍କ ନାମ ସ୍ଥାନ ପାଇଥିଲା।

Share