Categories: ଖେଳ

କ୍ରୀଡ଼ାବିତ୍‌ଙ୍କ ନୂଆ ବର୍ଷ ପାଳନ

ନୂଆଦିଲ୍ଲୀ, ୧।୧: ନୂତନ ବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଭାରତୀୟ କ୍ରୀଡ଼ା ଜଗତର ତାରକା ଖେଳାଳିମାନେ ସୋସିଆଲ ମିଡିଆର ସହାୟତା ନେଇଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିମାନେ ନୂଆ ବର୍ଷ ପାର୍ଟିର ଫଟୋ ଶେୟାର କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ତାଲିକାରେ ସର୍ବାଗ୍ରେ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ କୋହଲି ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୁଇଜରଲାଣ୍ଡରେ ଛୁଟି କଟାଉଛନ୍ତି। କୋହଲି ଓ ଅନୁଷ୍କା ସେଠାରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖଁ।, କରୀନା କପୁର ଓ ବରୁଣ ଧାଓ୍ବନଙ୍କ ସହ ଏକାଠି ନୂଆବର୍ଷ ପାଳନ କରୁଥିବାର ଏକ ଫଟୋ ଛାଡ଼ିଛନ୍ତି।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ସ୍ତ୍ରୀ ସାକ୍ଷୀ ସିଂ ଧୋନୀ ମଧ୍ୟ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଦୁବାଇରେ ଛୁଟି କାଟି ଭାରତ ଫେରିଥିବା ଧୋନୀ ନୂଆ ବର୍ଷ ପାଳନ ଅବସରେ ପୁନେରେ ଏକ ପାର୍ଟିରେ ସାକ୍ଷୀଙ୍କ ସହ ଏକାଠି ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଡ୍ୟାନ୍ସର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଧୋନୀଙ୍କ ସହ ଏକାଠି ଠିଆ ହୋଇଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଭି.ଭିଏସ୍‌. ଲକ୍ଷ୍ମଣ, ଶିଖର ଧାଓ୍ବନ, ପି.ଭି. ସିନ୍ଧୁ, ଜିମାଷ୍ଟ ଦୀପା କର୍ମକାର ପ୍ରମୁଖ ସୋସିଆଲ ମିଡିଆରେ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି।

Share