କ୍ରୀଡ଼ାବିତ୍‌ଙ୍କ ଭତ୍ତା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ସେ କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ଓ ଜାତୀୟ ସ୍ତରର ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି।
ତଦନୁଯାୟୀ, କ୍ରୀଡ଼ା ହଷ୍ଟେଲରେ ରହୁଥିବା ଝିଅମାନଙ୍କ ମାସିକ ଭତ୍ତାକୁ ୨ଶହରୁ ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ରୀଡ଼ା ହଷ୍ଟେଲରେ ରହୁଥିବା ପୁଅ ପିଲାଙ୍କ ପାଇଁ ଭତ୍ତା ମାସିକ ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନ୍‌ଏସ୍‌ଏଫ୍‌ ସ୍ବୀକୃତିପ୍ରାପ୍ତ ପ୍ରତିଯୋଗିତା ପାଇଁ ବାହାରକୁ ଗଲେ ଦୈନିକ ୩ଶହ ଟଙ୍କା ଭତ୍ତା ମିଳିବ। ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ବର୍ଷକ ପାଇଁ ମାସିକ ୧ ହଜାର ଟଙ୍କା ମିଳିବ। ରୌପ୍ୟ ଜିତିଲେ ୫ଶହ ଓ ବ୍ରୋଞ୍ଚ ଜିତିଲେ ମାସିକ ୩ଶହ ଟଙ୍କା ଭତ୍ତା ମିଳିବ। ଜାତୀୟ ରେକର୍ଡ ୧ବର୍ଷ ମଧ୍ୟରେ ଭଙ୍ଗ ନ ହେଲେ ବର୍ଷେଯାଏ ୫ ହଜାର ଟଙ୍କା ମିଳିବ। ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏ ଭତ୍ତିା ପ୍ରଦାନ କରାଯିବ।

Share