କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ। ତୃଣମୂଳ ଏବଂ ଯୁବ ସ୍ତରରେ ଖେଳର ବିକାଶ ଲାଗି ଖେଲୋ ଇଣ୍ଡିଆ ଯୋଜନାରେ ଅଧିକ ୨୯୧.୪୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଫଳରେ ଅଲିମ୍ପିକ ବର୍ଷରେ ସରକାର ଅନ୍ୟ ବିଭାଗରେ ଆର୍ଥତ୍କ ମଞ୍ଜୁରୀ ହ୍ରାସ କରିଥିବା ସ୍ପଷ୍ଟ ହୋଇଛି। ପାର୍ଲାମେଣ୍ଟରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଜାତୀୟ ଫେଡରେଶନଗୁଡ଼ିକ ଲାଗି ୨୪୫.୦୦ କୋଟି ଟଙ୍କା ବରାଦ ହୋଇଛି, ଯାହାକି ୨୦୧୯-୨୦ ବର୍ଷ ତୁଳନାରେ ଏହା ୫୫ କୋଟି ଟଙ୍କା କମ୍‌। କ୍ରୀଡ଼ାବିତ୍‌ଙ୍କ ଲାଗି ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶିର ପରିମାଣ ମଧ୍ୟ ହ୍ରାସ କରାଯାଇଛି। ଏହା ୧୧୧ କୋଟିରୁ ୭୦କୋଟି ଟଙ୍କାକୁ କମାଇ ଦିଆଯାଇଛି। ସେହିପରି ନ୍ୟାଶନାଲ ସ୍ପୋଟର୍‌ସ ଡେଭଲପମେଣ୍ଟ ବଜେଟର ପରିମାଣ ୫୦.୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଗତବର୍ଷ ଏବାବଦରେ ୭୭.୧୫ କୋଟି ଟଙ୍କା ବରାଦ କରାଯାଇଥିଲା। ସରକାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପାଇଁ ୫୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ସେହି ତୁଳନାରେ ଗତବର୍ଷ ଏବାବଦରେ ୬୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଇ ଷ୍ଟାଡିୟମର ଆଧୁନିକୀକରଣ ପାଇଁ ୭୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଗତବର୍ଷ ସରକାର ଏବାବାଦରେ ୯୬ କୋଟି ଟଙ୍କା ମଞ୍ଜୁର କରିଥିଲେ। କ୍ରୀଡ଼ାବିତ୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ଜାତୀୟ କଲ୍ୟାଣ ପାଣ୍ଠି ପାଇଁ ପୂର୍ବ ଭଳି ୨ କୋଟି ଟଙ୍କା ବରାଦ କରାଯାଇଛି। ଜମ୍ମୁ-କଶ୍ମୀରରେ କ୍ରୀଡ଼ାର ବିକାଶ ଲାଗି ପୂର୍ବ ଭଳି ୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଲକ୍ଷ୍ମୀବାଈ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ପାଇଁ ବଜେଟରେ ଗତ ବର୍ଷ ତୁଳନାରେ ୫ କୋଟି ଟଙ୍କା ଅଧିକ ମଞ୍ଜୁର କରାଯାଇଛି। ଯାହା ଫଳରେ ଏହାର ପରିମଣା ୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।