କ୍ରୋମ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: ‘ଜିଲା ପ୍ରଶାସନ ନିଷ୍ପତ୍ତି ଏକପାଖିଆ’

କାଳିଆପାଣି/ସୁକିନ୍ଦା,୨୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଥମିବାର ନାମ ଧରୁନି। ଏହାର ସମାଧାନ ନେଇ ମଙ୍ଗଳବାର ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା। କ୍ରୋମାଇଟ୍‌ ଲୋଡିଂକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ କହିଥିଲେ। ଏଥିସହ ବିଭାଗୀୟ ଅଧିକାରୀଙ୍କୁ ନିୟମ ପାଳନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ସମସ୍ତ ଖଣି ଓ ଠିକାଦାରଙ୍କ ପକ୍ଷରୁ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂରେ ଆସୁଥିବା ଗାଡିଗୁଡିକୁ କ୍ରୋମ ଲୋଡିଂ ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ମିନେରାଲ ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ବହୁ ସଂଖ୍ୟକ ଟ୍ରକ୍‌ ମାଲିକ କ୍ରୋମ ଲୋଡିଂ ପାଇଁ ଗାଡି ପଠାଇ ନ ଥିବାବେଳେ ଖଣିରେ ନିୟୋଜିତ ଶ୍ରମିକମାନେ ମଧ୍ୟ କ୍ରୋମ ଲୋଡିଂରେ ଅସହଯୋଗ କରିଥିଲେ। ଏହାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମ କାର୍ଯ୍ୟକାରୀ କରିବାରେ ଜିଲାପାଳ ନେଇଥିବା ନିଷ୍ପତ୍ତି ଏକ ପାଖିଆ ଦର୍ଶାଇ ମିନେରାଲ ଟ୍ରକ ମାଲିକ ସଂଘ ଏହାକୁ ବିରୋଧ କରିଛି। ଏ ନେଇ ସଂଘ ସଭାପତି ବିଦ୍ୟାଧର ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଟ୍ରକ ମାଲିକ ଏକ ବିଶାଳ ଶୋଭାଯାତ୍ରାରେ କାଳିଆପାଣି ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘ ସଭାପତିଙ୍କ ସହ ଅମଳେନ୍ଦୁ ବେହୁରା, କୃତୀବାସ ଭଞ୍ଜ,ଏମ ନାଦିର, ଆଶିଷ ଜେନା, ବିଭୂ ଦାସ, ବଳରାମ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାଧିକାରୀ ରମାକାନ୍ତ ମୁଦୁଲୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଦୀର୍ଘ ୪୦ ବର୍ଷଧରି ପରିଚାଳନାଧୀନ ମିନେରାଲ ଟ୍ରକ୍‌ ମାଲିକ ସଂଘ ଓ ଯାଜପୁର ରୋଡ ଓ ଚଣ୍ଡିଖୋଲ ଟ୍ରକ୍‌ମାଲିକ ସଂଘର ବୈଧତା ଆଧାରରେ ସଭ୍ୟମାନଙ୍କୁ ଖଣିଜ ପରିବହନ କରିବାକୁ ଅନୁମତି ପତ୍ରପ୍ରଦାନ କରିବାକୁ ସଂଘ ଦାବି କରିଛି। ଖଣି ମାଲିକମାନେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କ ପାଇଁ ଉନ୍ନତମାନର ଶୌଚାଳୟ ନିର୍ମାଣ କରିବା ସହ ପାର୍କିଂ ୟାର୍ଡ ଗଠନ କରିିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଅପରପକ୍ଷେ କୁହିକାଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟଠାରେ ବିଶ୍ୱଜିତ ରାଜ ଓ ଅରୁଣକୁମାର ପରିଡାଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା। ଏଥିରେ ମିନେରାଲ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି। ଯେ ପର୍ଯ୍ୟନ୍ତ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ କଡ଼ାକଡି ପାଳନ କରା ନ ଯାଇଛି। କୁହିକା ଟ୍ରକ୍‌ ମାଲିକ ସଂଘ ପ୍ରତିବାଦ ଜାରି ରଖିବ ବୋଲି କହିଛି। ଏ ସମ୍ପର୍କରେ କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କୁ ପଚାରିବାରୁ ଖାଦାନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।

Share