Categories: ଖେଳ

କ୍ଲାସିକୋ ଲାଗି ମୁତୟନ ହେବେ ୩ ହଜାର ପୋଲିସ

ବାର୍ସିଲୋନା,୧୪।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହରେ ରିଅଲ ମାଡ୍ରିଡ୍‌ ଓ ବାର୍ସିଲୋନା ମଧ୍ୟରେ ଖେଳାଯିବାକୁ ଥିବା କ୍ଲାସିକୋ ମ୍ୟାଚ୍‌ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିନେଇ ପ୍ରାୟ ୩ ହଜାର ପୋଲିସ ଅଫିସର ଓ ସୁରକ୍ଷା କର୍ମଚାରୀ ମୁତୟନ କରାଯିବ ବୋଲି ଲୋକାଲ ଅଫିସିଆଲ ଶୁକ୍ରବାର କହିଛନ୍ତି। ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲା ଲିଗା ମ୍ୟାଚ୍‌ ଆସନ୍ତା ୧୮ ତାରିଖରେ କାମ୍ପା ନୂଆଠାରେ ଖେଳାଯିବ। କିନ୍ତୁ ଷ୍ଟାଡିୟମ ବାହାରେ ସେହି ଦିନ ବଡ଼ ବିକ୍ଷୋଭ ପାଇଁ ଡାକରା ଦେଇଛି କାଟଲାନ ସେପାରାଟିଷ୍ଟ ମୁଭମେଣ୍ଟ। ଏକ ହଜାର ସ୍ଥାନୀୟ ପୋଲିସ ଓ ଅନ୍ୟ ପୋଲିସ ଫୋର୍ସର ଦୁଇ ହଜାର ପୋଲିସ ଅଫିସର ଓ ସୁରକ୍ଷା କର୍ମଚାରୀଙ୍କ ମୁତୟନ କରାଯିବ। ସେମାନେ ଷ୍ଟାଡିୟମ ବାହାରେ ଓ ଭିତର ଦାୟିତ୍ୱରେ ରହିବେ। ଯଦି ପିଚ ମଧ୍ୟକୁ କୌଣସି ବିକ୍ଷୋଭକାରୀ ପ୍ରବେଶ କଲେ ଏଥିପାଇଁ ଷ୍ଟାଡିୟମ ଭିତରେ ଥିବା ସୁରକ୍ଷା କର୍ମୀ ଦାୟୀ। ଏ ନେଇ ବଡ଼ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ଓ ଭବିଷ୍ୟତରେ ମ୍ୟାଚ୍‌ଗୁଡ଼ିକ ରୁଦ୍ଧ ଦ୍ୱାର ଷ୍ଟାଡିୟମରେ ଖେଳାଯିବ ବୋଲି କାଟଲାନ ଇଣ୍ଟେରିଅର ଆଫାୟର୍ସ ମୁଖ୍ୟ ମିକୁଏଲ ବଚ କହିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମେ ଏହି ମ୍ୟାଚ୍‌ ଆକ୍ଟୋବର ୨୬ ତାରିଖରେ ଖେଳାଯିବାର ଥିଲା।

Share