Categories: ଖେଳ

‘କ୍ଷତାକ୍ତ ସତ୍ତ୍ୱେ ବ୍ୟାଟିଂ କରିଥିଲେ ଓ୍ବାଟ୍‌ସନ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ୧ ରନରେ ପରାସ୍ତ କରି ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇର ଓପନିଂ ବ୍ୟାଟ୍ସମ୍ୟାନ ଶେନ୍‌ ଓ୍ବାଟସନ ୫୯ ବଲରୁ ୮୦ ରନର (୮ ଚୌକା, ୪ ଛକା) ମାରାଥନ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ତେବେ ବ୍ୟାଟିଂବେଳେ ଓ୍ବାଟସନଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗି ରକ୍ତ ବାହାରୁଥିଲେ ମଧ୍ୟ ସେ ଖେଳ ଜାରି ରଖିଥିତ୍ବା ଘଟଣା ଏବେ ଜଣାପଡ଼ିଛି। ପଡ଼ିଆର ଚତୁଃପାର୍ଶ୍ୱରେ ରହିଥିବା କ୍ୟାମେରାମ୍ୟାନ ଯେତେବେଳେ ଏହି ଘଟଣାକୁ ଧରି ପାରି ନ ଥିଲେ ଓ୍ବାଟ୍‌ସନଙ୍କ ଟିମ୍‌ମେଟ୍‌ ହରଭଜନ ସିଂ ମଙ୍ଗଳବାର ଏହା ଉପରୁ ଫର୍ଦ୍ଦା ଉଠାଇଛନ୍ତି। ମ୍ୟାଚ୍‌ ପରେ ଓ୍ବାଟସନ ଆଣ୍ଠୁରେ ୬ଟି ଷ୍ଟିଚ୍‌ ପକାଯାଇଥିଲା। ଓ୍ବାଟସନଙ୍କ ଏକ ଫଟୋକୁ ହରଭଜନ ସୋସିଆଲ ମିଡିଆରେ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ, ‘ଓ୍ବାଟସନଙ୍କ ଆଣ୍ଠୁରେ ରକ୍ତକୁ ଦେଖିପାରୁଛନ୍ତି.. ମ୍ୟାଚ୍‌ ପରେ ତାଙ୍କ ଆଣ୍ଡୁରେ ୬ଟି ଷ୍ଟିଚ୍‌ ପଡ଼ିଥିଲା.. ଡ୍ରାଇଭ ମାରିଥିବାବେଳେ ସେ ଆଘାତ ହୋଇଥିଲେ ମଧ୍ୟ କାହାକୁ କିଛି ନ କହି ବ୍ୟାଟିଂ ଜାରି ରଖିଥିଲେ’। ହରଭଜନଙ୍କ ପରେ ଚେନ୍ନାଇର ଅଫିସିଆଲ ଟୁଇଟର୍‌ ପେଜ୍‌ରେ ମଧ୍ୟ ସମାନ ଫଟୋ ଶେୟାର କରାଯାଇଥିଲା। ଏହି ଘଟଣାରେ ପ୍ରଶଂସକମାନେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଓ୍ବାଟ୍‌ସନଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଆଇପିଏଲ୍‌ର ଆସନ୍ତା ସଂସ୍କରଣରେ ମଧ୍ୟ ଓ୍ବାଟସନ ଓପନର ଭାବେ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଅନେକ ପ୍ରଶଂସକ ମତ ଦେଇଛନ୍ତି।

Share