କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଖଇରା,୧୨।୧୧(ଡି.ଏନ.ଏ.)- ବୁଲ୍‌ବୁଲ୍‌ ବାତ୍ୟା ପ୍ରଭାବରେ ଧାନ ଓ ପନିପରିବା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ଶତାଧିକ ଚାଷୀ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ରାଜସ୍ବ କ୍ଷେତ୍ର ଅଧୀନ ଅନ୍ତରା, ଗରସଙ୍ଗ, ରପେୟା ଓ ବରଦା ଗ୍ରାମର ଶତାଧିକ ଚାଷୀ ଆରଆଇଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ସିଂଙ୍କୁ ଅଟକ ରଖି ଦାବି ପୂରଣ ଲାଗି ଅଡି ବସିଥିଲେ। ଖବର ପାଇ ଖଇରା ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଓ ସହକାରୀ କୃଷି ଅଧିକାରୀ ବାସୁଦେବ ଶତପଥୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଚାଷୀମାନଙ୍କ ଦାବି ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ଆନ୍ଦୋଳନରୁ ଓହରିଥିଲେ।
ଏହି ଆନ୍ଦୋଳନକାରୀ ଚାଷୀ ଦର୍ଶାଇଥିଲେ ଯେ, ବାତ୍ୟା ଓ ବର୍ଷା ଛାଡିବାର ୩ଦିନ ବିତିଲାଣି । ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଅଧିକାରୀ ଏ ଅଞ୍ଚଳକୁ ଆସି କ୍ଷୟକ୍ଷତି ଆକଳନ କରି ନାହଁାନ୍ତି ା ଏହା ବାତ୍ୟା ପ୍ରଭାବିତ ଚାଷୀଙ୍କୁ ଅଧିକ କ୍ଷୁବ୍ଧ କରିଛି। ଏଠାକାର ୪ ପଞ୍ଚାୟତ ସମେତ ଆଖପାଖରେ ଅଧିକ କ୍ଷୟକ୍ଷତି ଘଟିଛି। ତୁରନ୍ତ କ୍ଷତି ଆକଳନ କରି କୃଷିଋଣ ଛାଡ଼ କରିବା,ଏକର ପ୍ରତି ୨୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଜଳକର ଛାଡ଼, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଚାଷୀଙ୍କୁ ସହାୟତା ଘୋଷଣା କରିବାଲାଗି ସେମାନେ ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନେ ପୂର୍ବାହ୍ନରେ ଆରଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବେଳେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ରୁରାଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରଦାର ପୂର୍ବତନ ସରପଞ୍ଚ ପରୀକ୍ଷିତ ମହାପାତ୍ର, ରପେୟା ସରପଞ୍ଚ ଅଜୟ ସାମଲ, ଓସଙ୍ଗ ସେବା ସମବାୟ ସମିତିର ସଭାପତି ନରେଶ କର, ଚାଷୀ ଶ୍ୟାମସୁନ୍ଦର ଜେନା, କେଶବ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ା

Share