କ୍ଷତିପୂରଣ ଦାବି କଲେ ଚାଷୀ

ଭଦ୍ରକ ଅଫିସ, ୨୮ା୫- ବାତ୍ୟା ଅମ୍ଫନ୍‌ ଓଡ଼ିଶାରେ ଅତ୍ୟନ୍ତ କ୍ଷତିଗ୍ରସ୍ତ କରିଛି। ମୁଖ୍ୟତଃ ଏହାଦ୍ୱାରା ଚାଷୀ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ଜିଲାର ଚାଷୀ, କୃଷି ଶ୍ରମିକ, ମାଛଧରା ଶ୍ରମିକ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବି ନେଇ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାନ୍ଦବାଲି ବ୍ଲକର ଧାମରା, ଚର୍ଦିଆ, ଆରଡି ଓ ବାସୁଦେବପୁର ବ୍ଲକର ଚାନ୍ଦିମାଳ, ବିଦେଇପୁର, ଚୁଡ଼ାମଣି ଆଦି ଅଞ୍ଚଳର ୫୦,୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଲୁଣା ପାଣି ମାଡ଼ିଯାଇଛି। ୪୫୦୦ରୁ ଊର୍ଦ୍ଧ୍ୱ ଘର ଜିଲାରେ ଭାଙ୍ଗିଯାଇଛି। ୫୦୦ରୁ ଅଧିକ ମାଛଧରା ଡଙ୍ଗା ଭାଙ୍ଗି ଯାଇଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ, କରୋନା ଭୂତାଣୁ ଜନିତ ଲକ୍‌ଡାଉନ ଫଳରେ କାମ ହରାଇ ଥିବା ପରିବାର ଗୁଡିକୁ ମାସିକ ୧୦ହଜାର ଟଙ୍କା ପ୍ରଦାନ, ସମସ୍ତ କୃଷି ଋଣ ଛାଡ଼ କରାଯିବା ଆଦି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଜିଲା ପ୍ରଶାସନ ମାଧ୍ୟମରେ ପଠାଇଥିଲେ। ଏହି ପ୍ରତିନିଧି ଦଳରେ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ସଭାପତି ଚନ୍ଦ୍ର ଶେଖର ନାୟକ, ଜିଲା ଯୁଗ୍ମ ସମ୍ପାଦକ ବିକାଶ ନାଥ, କୋଷାଧ୍ୟକ୍ଷ ଅଭିରାମ ବଳ, ଏସ୍‌ଏଫ୍‌ଆଇ ଭଦ୍ରକ ଜିଲା ଆବାହକ କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।