Categories: ଗଞ୍ଜାମ

କ୍ଷତି ବଢ଼ିବା ପରେ ଚେତିଲା ପ୍ରଶାସନ: ମାସକ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ବକେୟା

ଭଞ୍ଜନଗର,୧୯।୬(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଜୋନର ଅସ୍ଥାୟୀ କର୍ମଚାରୀମାନେ ବକେୟା ଦରମା ଦାବି ନେଇ ଗତ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ଜୋନ୍‌ର କ୍ଷତି ବଢ଼ିବା ପରେ ପ୍ରଶାସନ ଶେଷରେ ଚେତିଛି। କର୍ମଚାରୀଙ୍କ ଦାବି ବିଚାରକୁ ନିଆଯିବ ବୋଲି ଜିଲା ପ୍ରଶାସନ ପ୍ରତିଶ୍ରୁତି ମିଳିବା ପରେ ମଙ୍ଗଳବାର ରାତିରୁ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ବୁଧବାର ସକାଳୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଓଏସ୍‌ଆରଟିସି ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ଥିବା ଯୋଗୁ ଏଠାରେ ଥିବା ବସ୍‌ ଚଳାଚଳ ହୋଇପାରି ନ ଥିଲା। ଏଥିଯୋଗୁ ବିଭାଗର କ୍ଷତି ହେଉଥିଲା। ତେଣୁ ବିଭାଗ ପକ୍ଷରୁ ଏଠାରେ ଥିବା ବସ୍‌ଗୁଡ଼ିକୁ ନେଇ ଅନ୍ୟ ଜୋନରେ ଚଲାଇବା ପାଇଁ ଯୋଜନା ହୋଇଥିଲା। ସରକାର ଏହି ଜୋନକୁ ବନ୍ଦ କରିବା ପାଇଁ ଯୋଜନା କରୁଥିବା ଭାବି କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ। ଏପରିକି ବିଭିନ୍ନ ସଙ୍ଗଠନ ମଧ୍ୟ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଏହି ସମୟ ମଧ୍ୟରେ ବିଭାଗ ପକ୍ଷରୁ ବସ୍‌କୁ ନେଇ ଅନ୍ୟ ଜୋନରେ ଚଲାଇବା ପାଇଁ ବାରମ୍ବାର ପୋଲିସର ସହାୟତା ନିଆଯାଇଥିଲେ ମଧ୍ୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ବସ ସ୍ଥାନାନ୍ତର ହୋଇପାରି ନ ଥିଲା। ଫଳରେ ବିଭାଗର ପ୍ରାୟ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିଲା। ସୋମବାର କ୍ରିୟାନୁଷ୍ଠାନ କମିଟି, କର୍ମଚାରୀ ସଂଘର ନେତାମାନେ ଗଞ୍ଜାମ ଜିଲାପାଳଙ୍କୁ ଛତ୍ରପୁରରେ ଭେଟି ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାପରେ ଜିଲାପାଳଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ହୋଇଛି। କର୍ମଚାରୀମାନଙ୍କ ବକେୟା ଦରମା ଏକ ମାସ ମଧ୍ୟରେ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥିସହ ଅନ୍ୟ ଦାବିଗୁଡ଼ିକ ପ୍ରତି ପଦକ୍ଷେପ ନିଆଯାଉଥିବା ପ୍ରତିଶ୍ରୁତି ମିଳିବା ପରେ ସ୍ଥାନୀୟ ଓଏସ୍‌ଆରଟିସି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ନେଇ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ୟମକ୍ରମେ କର୍ମଚାରୀଙ୍କ ଦାବି ପୂରଣ ହୋଇପାରିଛି। ତେଣୁ ସଂଘ ସେମାନଙ୍କୁ ସ୍ବାଗତ କରାଯାଇଛି ବୋଲି କର୍ମଚାରୀ ସଂଘର ସଭାପତି ବଟକୃଷ୍ଣ ପଣ୍ଡା ଏକ ବିବୃତିରେ କହିଛନ୍ତି।