ବେଙ୍ଗାଲୁରୁ,୧୯ା୩: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଧାୟକମାନଙ୍କୁ ବିଭିନ୍ନ ରାଜ୍ୟର ହୋଟେଲଗୁଡ଼ିକରେ ମେଳିକରି ରଖିବା କିଛି ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳି ଆସିଛି। ସମ୍ପ୍ରତି ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସହ ଜଡ଼ିତ ଘଟଣାକ୍ରମ କର୍ନାଟକକୁ ରାଜନୈତିକ ପର୍ଯ୍ୟଟନର କେନ୍ଦ୍ରସ୍ଥଳ ବା ପଲଟିକାଲ ଟୁରିଜମ୍ ଏପିସେଣ୍ଟରରେ ପରିଣତ କରିଛି।
ରାମକୃଷ୍ଣ ହେଗ୍ଡେ କର୍ନାଟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଧାରା ଆରମ୍ଭ ହୋଇଥିଲା। ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ବିଧାୟକମାନଙ୍କୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ସୁରକ୍ଷା ଦେବା ପାଇଁ ନିଜ ବିଧାୟକଙ୍କୁ ବେଙ୍ଗାଲୁରୁ ନେଇଥିଲେ। ପରେ ୨୦୦୨ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଶକ୍ତିପରୀକ୍ଷାରେ ପାସ୍ କରିବା ଲାଗି କଂଗ୍ରେସ ବିଧାୟକମାନଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖିଥିଲେ। ୨୦୦୬ରୁ ୨୦୧୩ ମଧ୍ୟରେ ବି.ଏସ୍. ୟେଦୁରପ୍ପା ଏବଂ ଏଚ୍. ଡି. କୁମାରସ୍ବାମୀଙ୍କ ସମୟରେ ରିସର୍ଟ ପଲିଟିକ୍ସ ଜୋର୍ ଧରିଥିଲା। ୨୦୦୯ରୁ ୨୦୧୩ ମଧ୍ୟରେ କର୍ନାଟକରେ ଭାଜପା ପ୍ରଥମଥର ପାଇଁ କ୍ଷମତାସୀନ ଥିବାବେଳେ ଏଭଳି ରାଜନୀତି ସର୍ବାଧିକ ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ୨୦୦୮ରେ ଭାଜପା ନିକଟରେ ସଂଖ୍ୟାଗରିଷ୍ଠତା ପାଇଁ ସଂଖ୍ୟାବଳ ନ ଥିବାରୁ ସ୍ବାଧୀନ ବିଧାୟକଙ୍କ ସମେତ କଂଗ୍ରେସ ଏବଂ ଜେଡିଏସ୍ ସଦସ୍ୟମାନଙ୍କୁ ପ୍ରଲୋଭିତ କରି ନିଜ ସପକ୍ଷକୁ ଆଣିଥିଲା। ମାଇନିଂ ବାରୋନ୍ ଜି. ଜନାର୍ଦ୍ଦନ ରେଡ୍ଡୀ ଓ ଅରବିନ୍ଦ ଲିମ୍ବାଭଲିଙ୍କ ସହଯୋଗରେ ୟେଦୁରପ୍ପା ବିଧାୟକମାନଙ୍କୁ ରିସର୍ଟକୁ ନେଇଥିଲେ। ୨ ବର୍ଷ ପରେ ବଲ୍ଲାରି ରେଡ୍ଡୀ ବ୍ରଦର୍ସ ୟେଦୁରପ୍ପାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ୧୮ ଭାଜପା ବିଧାୟକଙ୍କୁ ଏକ ହୋଟେଲକୁ ନେଇଯାଇଥିଲେ। ଏହା ୟେଦୁରପ୍ପା ସରକାରଙ୍କୁ ପତନର ଦ୍ୱାରଦେଶରେ ପହଞ୍ଚାଇଥିଲା। କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟ ଘୋଡ଼ାବେପାର ଭୟରେ ନିଜ ବିଧାୟକମାନଙ୍କୁ ଅନ୍ୟ ଏକ ରିସର୍ଟରେ ରଖିଥିଲେ। ୟେଦୁରପ୍ପାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ କ୍ଷମତାଚ୍ୟୁତ ହୋଇଥିଲେ। ତେବେ ସେ ନିଜ ଅନୁଗତ ବିଧାୟକମାନଙ୍କୁ ଏକ ରିସର୍ଟରେ ରଖି ଜଗଦୀଶ ଶେଟ୍ଟାରଙ୍କ ପରିବର୍ତ୍ତେ ସଦାନନ୍ଦ ଗୌଡ଼ାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଥିଲେ। ୨୦୧୨ରେ ଏହି ସ୍ଥିତି ବଦଳିଯାଇଥିଲା, ଯେତେବେବେଳେ ୟେଦୁରପ୍ପା ପୁଣିଥରେ ନିଜ ଅନୁଗତଙ୍କୁ ରିସର୍ଟରେ ରଖି ସଦାନନ୍ଦ ଗୌଡ଼ାଙ୍କୁ ହଟାଇ ଶେଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ଏହି ପଦକ୍ଷେପଗୁଡ଼ିକ କର୍ନାଟକକୁ ଘୋଡ଼ାବେପାର ଓ ନିର୍ବାଚିତ ସରକାରକୁ ହଟାଇବା ଲାଗି ପ୍ରମୁଖ କେନ୍ଦ୍ରରେ ପରିଣତ କରିଥିଲା।
ଏସ୍.ଆର୍. ବୋମାଇଙ୍କଠାରୁ ପୁଅ ବାସବରାଜ ପର୍ଯ୍ୟନ୍ତ
୧୯୮୮ରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର୍. ବୋମାଇଙ୍କ ସରକାରକୁ ରାଜ୍ୟପାଳ ପି. ଭେଙ୍କଟସୁବୈଇହା ବରଖାସ୍ତ କରିଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବୋମାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୧୯୯୪ରେ ଏହି ଐତିହାସିକ ମାମଲାର ରାୟ ଆସିଥିଲା। ଆଧୁନିକ ସମୟର ରିସର୍ଟ ରାଜନୀତି ପାଇଁ ଏହା ଥିଲା ଏକ ନିର୍ଣ୍ଣାୟକ ମାମଲା। ସେତେବେଳେ ସର୍ବୋଚ୍ଚ ଅଦାଲତ କହିଥିଲେ, ମନ୍ତ୍ରୀ ପରିଷଦ ଗୃହର ଆସ୍ଥା ହରାଇଛନ୍ତି କି ନାହିଁ ତାହା ରାଜ୍ୟପାଳ ସ୍ଥିର କରିପାରିବେ ନାହିଁ। ଅର୍ଥାତ୍ ଏକ ରାଜ୍ୟର ନିର୍ବାଚିତ ସରକାରଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଅଫିସକୁ କେନ୍ଦ୍ର ବ୍ୟବହାର କରିପାରିବ ନାହିଁ। ଇତିମଧ୍ୟରେ ଭାଜପା ଅନୁରୂପ ଭାବେ ହୋଟେଲ ରାଜନୀତିର ଆଶ୍ରୟ ନେଇ ଏଚ୍.ଡି. କୁମାରସ୍ବାମୀ (୨୦୧୮ ମେ ୨୩ରୁ ୨୦୧୯ ଜୁଲାଇ ୨୩) ସରକାରର ପତନ ଘଟାଇବାରେ ସକ୍ଷମ ହୋଇଥିଲା। ସେଠାରେ ଏବେ ୟେଦୁରପ୍ପାଙ୍କ ସରକାର ଚାଲିଥିବାବେଳେ ଏସ୍.ଆର୍. ବୋମାଇଙ୍କ ପୁଅ ବାସବରାଜ ବୋମାଇ ଗୃହମନ୍ତ୍ରୀ ଅଛନ୍ତି। ଗତ ୧୦ ତାରିଖରେ ମଧ୍ୟପ୍ରଦେଶର ୧୯ ବିଦ୍ରୋହୀ ବିଧାୟକଙ୍କୁ ବେଙ୍ଗାଲୁରୁ ନିଆଯାଇଥିବାବେଳେ ବାସବରାଜ ସେମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବା ଏକ ବିଡ଼ମ୍ବନା ବୋଲି କୁହାଯାଉଛି।
ବିଦ୍ରୋହୀ ସାଜିଥିଲେ ଚନ୍ଦ୍ରାବାବୁ
୧୯୮୪ରେ ଓପନ ହାର୍ଟ ସର୍ଜରି ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓ ଆମେରିକା ଗସ୍ତ କରିଥିଲେ। ରାଜ୍ୟପାଳ ଠାକୁର ରାମଲାଲ ତାଙ୍କ ଅନୁପସ୍ଥିତିରେ ଏନ୍. ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଇଥିଲେ। ଅଭିନେତାରୁ ରାଜନେତା ସାଜିଥିବା ରାମାରାଓ ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ
ଟିଡିପି ବିଧାୟକମାନଙ୍କୁ ପ୍ରଥମେ ବେଙ୍ଗାଲୁରୁର ନନ୍ଦୀ ହିଲ୍ସ ରିସର୍ଟରେ ମାସେ ରଖିବା ପରେ ଦିଲ୍ଲୀ ନେଇଯାଇଥିଲେ। ସରକାର ଭାଙ୍ଗିଯିବାର ୨ ମାସ ମଧ୍ୟରେ ଏନ୍ଟିଆର୍ ରଥଯାତ୍ରା କରି ପୁଣି କ୍ଷମତାକୁ ଫେରିଥିଲେ। ତାଙ୍କ ଜ୍ୱାଇଁ ଏନ୍. ଚନ୍ଦ୍ରାବାବୁ ନାଇଡୁ ୧୯୯୫ରେ ବିଦ୍ରୋହ କରି ଟିଡିପି ବିଧାୟକମାନଙ୍କୁ ହାଇଦ୍ରାବାଦର ଭାଇସ୍ରୟ ହୋଟେଲରେ ରଖିଥିଲେ। ପରେ ସେ ଦଳର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ମହାରାଷ୍ଟ୍ର ପାଓ୍ବାର ଗେମ୍
୨୦୧୯ ନଭେମ୍ବରରେ ମହାରାଷ୍ଟ୍ରରେ ଜୋର୍ ଧରିଥିଲା ରିସର୍ଟ ପଲିଟିକ୍ସ। ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିଲା। ହେଲେ ପୂର୍ବ ରାଜିନାମା ଅନୁସାରେ ୫୦-୫୦ ସୂତ୍ରରେ ସରକାର ଗଠନ କରାଯିବ ବୋଲି ଶିବସେନା ଅଡ଼ିବସିଥିଲା। ସେତେବେଳେ କଂଗ୍ରେସ ବିଧାୟକମାନେ ଜୟପୁର ଚାଲିଯାଇଥିବାବେଳେ ଶିବସେନା-ଏନ୍ସିପି ନିଜ ନିଜ ବିଧାୟକମାନଙ୍କୁ ଘୋଡ଼ାବେପାରରୁ ବଞ୍ଚାଇବା ପାଇଁ ମୁମ୍ବାଇର ଏକ ହୋଟେଲରେ ରଖିଥିଲେ। ଶେଷରେ ଏନ୍ସିପିର ୫୪ ଓ କଂଗ୍ରେସର ୪୪ ବିଧାୟକଙ୍କ ସମର୍ଥନରେ ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରାଯାଇଥିଲା। ଏହି ରାଜନୈତିକ ଘଟଣାକ୍ରମର ସୂତ୍ରଧର ଥିଲେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର।
ବସ୍ରେ ବୁହାହୋଇ ହୋଟେଲକୁ ଯାଆନ୍ତି ବିଧାୟକ
ହରିୟାଣା
୧୯୮୨ରେ ହରିୟାଣାରେ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇ ଇଣ୍ଡିଆନ୍ ନ୍ୟାଶନାଲ ଲୋକ ଦଳ (ଆଇଏନ୍ଏଲ୍ଡି) ଉପରକୁ ଉଠିଥିଲା। ନିର୍ବାଚନ ପରେ କଂଗ୍ରେସ ନିକଟରେ ପର୍ଯ୍ୟାପ୍ତ ଆସନ ନ ଥିବା ସତ୍ତ୍ୱେ ତତ୍କାଳୀନ ରାଜ୍ୟପାଳ ଜି.ଡି. ତାପସେ ଆଇଏନ୍ଏଲ୍ଡି-ଭାଜପା ମେଣ୍ଟକୁ ଅଣଦେଖା କରି ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଆଇଏନ୍ଏଲ୍ଡି ମୁଖ୍ୟ ଦେବୀଲାଲ ନିଜ ୪୮ ବିଧାୟକଙ୍କୁ ନେଇ ନୂଆଦିଲ୍ଲୀସ୍ଥିତ ଏକ ହୋଟେଲରେ ରଖିଥିଲେ। ଏହାସତ୍ତ୍ୱେ ଅସନ୍ତୁଷ୍ଟ ବିଧାୟକମାନେ ତାଙ୍କ ନିକଟରୁ ଖସିଯାଇଥିଲେ। ଶେଷରେ କୌଣସି ପ୍ରକାରେ ସରକାର ଗଠନରେ ସଫଳ ହୋଇଥିଲା କଂଗ୍ରେସ।
ଗୁଜରାଟ
୧୯୯୫ରେ ଶଙ୍କରସିଂ ବାଘେଲା ଭାଜପା ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ। ସେ ନିଜ ସପକ୍ଷରେ ଥିବା ୪୭ ବିଧାୟକଙ୍କୁ ମଧ୍ୟପ୍ରଦେଶର ଏକ ହୋଟେଲକୁ ନେଇ ୭ ଦିନ ରଖିଥିଲେ। ଶେଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଓ ବାଘେଲାଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। କେଶୁଭାଇଙ୍କୁ ହଟାଯଇ ବାଘେଲାଙ୍କ ସମର୍ଥକ ସୁରେଶ ମେହେଟ୍ଟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।
ଉତ୍ତରପ୍ରଦେଶ
୧୯୯୮ ଲୋକ ସଭା ନିର୍ବାଚନ ବେଳେ ୟୁପି ରାଜ୍ୟପାଳ ରମେଶ ଭଣ୍ଡାରୀ ସେତେବେଳର କଲ୍ୟାଣ ସିଂ ସରକାରକୁ ବରଖାସ୍ତ କରି କଂଗ୍ରେସର ଜଗଦମ୍ବିକା ପାଲଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ଜଗଦମ୍ବିକା ୪୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ତିଷ୍ଠି ପାରିଥିଲେ। ଫ୍ଲୋର ଟେଷ୍ଟ ହେବାକୁ ଥିବାବେଳେ ଭାଜପା ନିଜ ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ଆସ୍ଥାଭୋଟରେ କଲ୍ୟାଣ ସିଂ ଜିତିବା ପରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ବିହାର
୨୦୦୦ରେ ବିହାରରେ ନୀତୀଶ କୁମାରଙ୍କ ଭୟରେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନିଜ ବିଧାୟକମାନଙ୍କୁ ପାଟନାର ଏକ ହୋଟେଲରେ ରଖିଥିଲେ। ନୀତୀଶ ମାତ୍ର ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହି ଆସ୍ଥାଭୋଟରେ ହାରିଯାଇଥିଲେ। ୨୦୦୫ରେ ଲୋକ ଜନଶକ୍ତି ପାର୍ଟି ନୀତୀଶଙ୍କୁ ଭାଜପା ସହ ମିଶି ସମର୍ଥନ ଦେବା ପାଇଁ ବିଧାୟକମାନଙ୍କୁ ଜାମସେଦପୁରର ଏକ ହୋଟେଲରେ ରଖିଥିଲା।
ଉତ୍ତରାଖଣ୍ଡ
୨୦୧୬ରେ ଉତ୍ତରାଖଣ୍ଡର କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଆସ୍ଥାଭୋଟ ପୂର୍ବରୁ ଭାଜପା ନିଜ ବିଧାୟକମାନଙ୍କୁ ଜୟପୁର ନେଇଯାଇଥିଲା। ଉଭୟ ଭାଜପା ଓ କଂଗ୍ରେସ ପରସ୍ପର ବିରୋଧରେ ଘୋଡ଼ାବେପାର ଅଭିଯୋଗ ଆଣିଥିଲେ। ରାଷ୍ଟ୍ରପତି ଶାସନ ଜାରି ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ପଲଟାଇଦେଇଥିଲେ।
ତାମିଲନାଡୁ
୨୦୧୭ରେ ଓ. ପନ୍ନିରସେଲ୍ଭମ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଆଇଏଡିଏମ୍କେ ନେତା ଭି.କେ. ଶଶିକଳା ଇସ୍ତଫା ପାଇଁ ତାଙ୍କୁ ବାଧ୍ୟ କରିଥିବା ସେ ଅଭିଯୋଗ ଆଣିଥିଲେ। ଶଶିକଳା ନିଜ ଅନୁଗତମାନଙ୍କୁ ଚେନ୍ନାଇ ନିକଟସ୍ଥ ଏକ ହୋଟେଲକୁ ନେଇଯାଇଥିଲେ। ଶଶିକଳା ଜେଲ ଯିବା ପରେ ପନ୍ନିରସେଲଭମ୍ଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ଇ.କେ. ପାଲାନିସ୍ବାମୀଙ୍କ ଗୋଷ୍ଠୀ ସହ ହାତ ମିଳାଇ ସରକାର ଗଠନ କରିଥିଲେ।