Advertisement

କ୍ଷୀର, ଦହି ବିକ୍ରିରେ ଚଳୁଛି ଘର

ଦୀର୍ଘ ୩୦ ବର୍ଷ ହେଲା କ୍ଷୀର, ଦହି ବେପାର କରୁଛନ୍ତି। ଏହା ହିଁ ତାଙ୍କର କୌଳିକ ବୃତ୍ତି। ଚାଟଶାଳୀରୁ ଅଧିକ ପାଠ ପଢ଼ି ନ ଥିବାରୁ ପିଲାବେଳୁ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି ଢେଙ୍କାନାଳ ଜିଲା ନିମିଧା ବିଶ୍ୱନାଥପୁର ଗ୍ରାମର ସୁରେଶ ବେହେରା। ସୁରେଶଙ୍କୁ ଏବେ ବୟସ ପ୍ରାୟ ୫୩ ହେବ। ପରିବାର କହିଲେ ସ୍ତ୍ରୀ ଓ ୪ ଝିଅପୁଅ। ଗୋପାଳ ହୋଇଥିବାରୁ ବାପାଙ୍କ ଠାରୁ କ୍ଷୀରରୁ ଦହି ତିଆରି କରିବା ଶିଖିଥିଲେ ସେ। ତାଙ୍କ ଘରେ ଏବେ ୭ଟି ଗାଈ ଅଛନ୍ତି। ଦୈନିକ ସକାଳେ ଗାଈମାନଙ୍କ ସେବା କରିବା ସହ କ୍ଷୀର ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। କ୍ଷୀରରୁ ଦହି, ଛେନା, ଘିଅ ଆଦି ତିଆରି କରିଥାନ୍ତି। ଭୋର ୫ ଟାରେ ଉଠି ନିତ୍ୟକର୍ମ ସାରିବା ପରେ ଗୋରୁଙ୍କୁ ଖାଇବାକୁ ଦେଇଥାନ୍ତି। ଏହାପରେ କ୍ଷୀର ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ବଳକା କ୍ଷୀରରେ ଦହି, ଛେନା, ଘିଅ ଆଦି ତିଆରି କରନ୍ତି। ଏଥିରେ ସ୍ତ୍ରୀ ଅଳକା ତାଙ୍କୁ ସହାୟତା କରିଥାନ୍ତି। ସେହିପରି ସପ୍ତାହକୁ ୪ ଦିନ ଦହି ଭାର ଧରି ଢେଙ୍କାନାଳ, ଅନୁଗୋଳ, ନାଲ୍‌କୋ, ତାଳଚେର, ବଲଣ୍ଡା ଆଦି ବିଭିନ୍ନ ଅଞ୍ଚଳକୁ ଯାଇ ବ୍ୟବସାୟ କରନ୍ତି। ଘରକୁ ଫେରିଲା ବେଳକୁ ସା ହୋଇଯାଏ। ତାଙ୍କ ହାତ ତିଆରି ଦହି ଓ ଛେନାର ଭଲ ଚାହିଦା ଥିବାରୁ ବହୁ ଗ୍ରାହକ ଅଗ୍ରିମ ଦେଇ ଏସବୁ ଜିନିଷ ନେଇଥାନ୍ତି। ତେବେ କ୍ଷୀର ଦହି ବିକ୍ରି କରି ପରିବାର ଭରଣ ପୋଷଣ କରନ୍ତି ବୋଲି ସୁରେଶ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel