Categories: ବାଣିଜ୍ୟ

କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର

ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ପାଇଁ ବିଚାର କରାଯାଉଛି। ଆଇବିସିର ଫ୍ରେଶ୍‌ ଷ୍ଟାର୍ଟ ବ୍ୟବସ୍ଥା ଅଧୀନରେ ଏହା କରାଯିବ। କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଅର୍ଥାତ୍‌ ଇଡବ୍ଲ୍ୟୁଏସ୍‌ ଅଧୀନକୁ ଆସୁଥିବା କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣକୁ ଛାଡ଼ କରିବା ଲାଗି ଶ୍ରେଣୀ ନିର୍ଦ୍ଧାରଣ କରାଯିବ। ଏଥିଲାଗି ମାଇକ୍ରୋ ଫାଇନାନ୍ସ ଇଣ୍ଡଷ୍ଟ୍ରି ସହ ଆଲୋଚନା ଚାଲିଛି। ଇଡବ୍ଲ୍ୟୁଏସ୍‌ରେ ସର୍ବାଧିକ ଋଣବୋଝ ଥିବା ଋଣଗ୍ରହୀତାଙ୍କୁ ଏହାର ଫାଇଦା ମିଳିବାକୁ ଯାଉଛି। ଶ୍ରୀନିବାସ କହିଛନ୍ତି ଯେ, କୌଣସି ଲଘୁ ଉଦ୍ୟୋଗ ଥରେ ଫ୍ରେଶ୍‌ ଷ୍ଟାର୍ଟର ଫାଇଦା ନେବେ, ତେବେ ତାଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହାର ଲାଭ ଆଉ ମିଳିବ ନାହିଁ। ଆସନ୍ତା ୪/୫ ବର୍ଷ ମଧ୍ୟରେ ଏଭଳି ଋଣ ଛାଡ଼ ଦ୍ୱାରା ସରକାରଙ୍କ ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ବୋଝ ପଡିବ। ଏହାଠାରୁ ଅଧିକ ହେବ ନାହିଁ। ଆଇବିସିର ଫ୍ରେଶ୍‌ ଷ୍ଟାର୍ଟର ଫାଇଦା ନେବା ଲାଗି ଅନେକ ଗୁଡ଼ିଏ ସର୍ତ୍ତାରୋପ କରାଯାଇଛି। ଯେପରିକି ଋଣଗ୍ରହୀତାଙ୍କ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ ଅଧିକ ହେବ ନାହିଁ। ତାଙ୍କ ସମ୍ପତ୍ତି ମୂଲ୍ୟ ମୋଟ ୨୦ ହଜାର ଟଙ୍କାରୁ ଅଧିକ ହୋଇ ନ ଥିବ। ଲାଭାର୍ଥିଙ୍କ ଉପରେ ମୋଟ ଋଣ ପରିମାଣ ୩୫ ହଜାର ଟଙ୍କାରୁ କମ୍‌ ହୋଇଥିବ। ସେହିପରି ତାଙ୍କ ନିକଟରେ ନିଜର ଘର ନ ଥିବ।

Share