ବେଜିଂ,୨୯-୭: ଚାଇନାର ସବୁଠାରୁ ଧନବାନ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆଲିବାବାର ପ୍ରତିଷ୍ଠାତା ଅଧ୍ୟକ୍ଷ ଜ୍ୟାକ୍ ମା ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମାଇବ୍ୟାଙ୍କ(ଅନ୍ଲାଇନ ବ୍ୟାଙ୍କ) ଗତ ୪ ବର୍ଷ ମଧ୍ୟରେ ଛୋଟ ବ୍ୟବସାୟୀଙ୍କୁ ୨ ଟ୍ରିଲିୟନ ୟୁଆନ ଅର୍ଥାତ୍ ପ୍ରାୟ ୨୦.୩୦ ଲକ୍ଷ କୋଟି ଟଙ୍କା(୨୯୦ ବିଲିୟନ ଡଲାର) ଋଣ ଦେଇଛି। ବ୍ଲୁମ୍ବର୍ଗ ବିଲିୟନାୟାର ଇଣ୍ଡେକ୍ସ ଅନୁସାରେ ଜ୍ୟାକ୍ ମା’ଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୪୧.୯ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨.୯୩ ଲକ୍ଷ କୋଟି ଟଙ୍କା। ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟାଙ୍କ ଋଣ ପ୍ରଦାନ କରିବା ଲାଗି ରିୟଲ ଟାଇମ ପେମେଣ୍ଟ ଡାଟା ଏବଂ ରିସ୍କ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରିଥାଏ। ବ୍ୟାଙ୍କ ପ୍ରାୟ ୩ ହଜାର ମାନଦଣ୍ଡ ବିଶ୍ଲେଷଣ କରିବା ପରେ ହିଁ ଋଣ ମଞ୍ଜୁର କରିଥାଏ। ମା’ଙ୍କର ୪ ବର୍ଷ ପୁରୁଣା ମାଇବ୍ୟାଙ୍କ ପକ୍ଷରୁ ଅଦ୍ୟାବଧି ପ୍ରାୟ ୧.୬ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯାଇଛି। ଏହି ବ୍ୟାଙ୍କର ବିଶେଷତ୍ୱ ହେଉଛି ଯେ, ଏହା ମାତ୍ର ୩ ମିନିଟରେ ଛୋଟ କମ୍ପାନୀଙ୍କୁ ଋଣ ଦେଇଥାଏ। ନିଜର ସ୍ମାର୍ଟଫୋନ ମାଧ୍ୟମରେ ଋଣ ପାଇଁ ଆବେଦନ କରିବା ମାତ୍ରେ ତୁରନ୍ତ ଏହାକୁ ଅନୁମୋଦନ କରାଯାଏ। ଏଥିରେ ହ୍ୟୁମାନ ବ୍ୟାଙ୍କର୍ସ ଅର୍ଥାତ୍ ବ୍ୟାଙ୍କ ଅଧିକାରୀଙ୍କର କୌଣସି ଭୂମିକା ନ ଥାଏ। ମାଇବ୍ୟାଙ୍କର ଋଣ ଡିଫଲ୍ଟ ହାର ବା ଏନ୍ପିଏ ମାତ୍ର ୧ ପ୍ରତିଶତ ରହିଛି।