Categories: ବାଣିଜ୍ୟ

କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ କମିବ:ଗୋୟଲ

ନୂଆଦିଲ୍ଲୀ,୧୭-୯: ବାଣିଜ୍ୟ ମନ୍ତ୍ରଣାଳୟ କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ ହାର କମ୍‌ କରିବା ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବ ଆଣିବ। ଯେଉଁ ରପ୍ତାନିକାରୀଙ୍କ ବକେୟା ସୀମା ୮୦ କୋଟି ଟଙ୍କାରୁ କମ୍‌ ହୋଇଥିବ ସେମାନଙ୍କ ଲାଗି ବୀମା ପ୍ରିମିୟମ ହାରକୁ ୦.୬୦ ପ୍ରତିଶତକୁ ହ୍ରାସ କରାଯିବ। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର କହିଛନ୍ତି ଯେ, ବର୍ତ୍ତମାନ ବୀମା ପ୍ରିମିୟମ ୦.୭୨% ରହିଛି। ଏହାବ୍ୟତୀତ ୮୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସୀମାର ରପ୍ତାନିକାରୀଙ୍କ ସହାୟତା ଲାଗି ପ୍ରିମିୟମକୁ ସୁବ୍ୟବସ୍ଥିତ କରାଯିବ। ଏଭଳି ଭାବେ ରପ୍ତାନିକାରୀଙ୍କୁ ବିଭିନ୍ନ ଶ୍ରେଣୀରେ ବଣ୍ଟାଯିବ ବୋଲି ସେ କହିଛନ୍ତି। ଏଥିରେ ଅଣ ସ୍ବର୍ଣ୍ଣ, ଗହଣା ଏବଂ ହୀରା ସମେତ ଅନ୍ୟ ରପ୍ତାନିକାରୀ ସାମିଲ ହେବେ। ସେ କହିଛନ୍ତି ଯେ, ଭାରତୀୟ ରପ୍ତାନି ଋଣ ଗ୍ୟାରେଣ୍ଟି ନିଗମ ପକ୍ଷରୁ ନୂଆ ସ୍କିମ୍‌ ନିର୍ବିକ(ରପ୍ତାନି ଋଣ ବିକାଶ ଯୋଜନା) ଆରମ୍ଭ କରାଯାଇଛି। ଏହା ରପ୍ତାନିକାରୀଙ୍କୁ ଋଣ ପ୍ରଦାନରେ ବ୍ୟାଙ୍କଗୁଡ଼ିକୁ ସହାୟତା କରିବ। ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏହି ସୁରକ୍ଷା କବଚ ପରିସରକୁ ଅଧିକ ବୃଦ୍ଧି କରାଯାଇଛି। ଏଥିରେ ବକେୟା ସମେତ ମୂଳଧନକୁ ମଧ୍ୟ ଯୋଡା ଯାଇଛି।

Share