Categories: ଜାତୀୟ

କ୍ଷୁଧା ମେଣ୍ଟାଇ ପାରିବନି ଚନ୍ଦ୍ର ମିଶନ: ରାହୁଲ

ଲାତୁର,୧୪ା୧୦(ପି.ଟି.): ଦେଶର ଯୁବପିଢ଼ି ନିଯୁକ୍ତି ଖୋଜୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କୁ ଜହ୍ନ ଦେଖିବାକୁ କହୁଛନ୍ତି। ଭାରତର ଅର୍ଥନୀତି ଭୁଶୁଡ଼ିବା ଏବେ ଆରମ୍ଭ ହୋଇଛି। ଆଗକୁ ବହୁତ କିଛି ହେବ। ଅର୍ଥନୀତି ସଜାଡ଼ିବା ପାଇଁ କଂଗ୍ରେସ ସରକାରର ଦଶନ୍ଧି ଧରି ବିକାଶମୂଳକ କାର୍ଯ୍ୟକୁ ମୋଦି ସରକାର ବିଗାଡ଼ି ଦେଇଛନ୍ତି। ଏଥିପାଇଁ ସେମାନେ କଶ୍ମୀର, ଅନୁଚ୍ଛେଦ ୩୭୦ ଓ ଚନ୍ଦ୍ର କଥା କହୁଛନ୍ତି। ହେଲେ ଦେଶର ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ଉପରେ ପଦୁଟିଏ ବି କହୁନାହାନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ମହାରାଷ୍ଟ୍ରର ଲାତୁର ଜିଲା ଅଉସା ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାକୁ ରବିବାର ସମ୍ବୋଧିତ କରି ରାହୁଲ ଅର୍ଥନୀତି ଓ ନିଯୁକ୍ତି ପ୍ରସଙ୍ଗରେ ମୋଦି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ଦେଶରେ ବେକାର ସମସ୍ୟା ୪୦ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ଏଭଳି ସମୟରେ ମୋଦି ମୂଳ ପ୍ରସଙ୍ଗଗୁଡ଼ିକରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି। ଯୁବପିଢ଼ି ନିଯୁକ୍ତି ଦାବି କରୁଥିବାବେଳେ ସେମାନଙ୍କୁ ଚନ୍ଦ୍ର ଦେଖିବାକୁ ପରାମର୍ଶ ଦେଉଛନ୍ତି। ଚନ୍ଦ୍ରକୁ ଉପଗ୍ରହ ପଠାଇ ତୁମେ ଗରିବ ଲୋକଙ୍କ ମୁହଁକୁ ଖାଦ୍ୟ ଯୋଗାଇ ପାରିବ ନାହିଁ। ଏପରି ମିଶନ ଆମ ଯୁବପିଢ଼ିଙ୍କ କ୍ଷୁଧାକୁ ମେଣ୍ଟାଇ ପାରିବ ନାହିଁ ବୋଲି ଚନ୍ଦ୍ରୟାନ-୨କୁ ନେଇ ଓ୍ବାୟନାଡ୍‌ ଏମ୍‌ପି ରାହୁଲ ପରୋକ୍ଷରେ ଟାର୍ଗେଟ କରିଛନ୍ତି।

Share