Categories: ଫୁରସତ

କ୍ଷେତରୁ ଖୋଳି ନେଇଗଲେ ପିଆଜ

ମଣ୍ଡସୋର: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ରୋଷେଇଘରେ ସବୁଠୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ୧୫୦ ଟଙ୍କା ଛୁଇଁଲାଣି। ଏପରି ସ୍ଥିତିରେ ଚୋରମାନେ ଏବେ ପିଆଜ ଉପରେ ଆଖି ପକାଇଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ଖେତରେ ମଧ୍ୟ ପିଆଜ ଆଉ ସୁରକ୍ଷିତ ହୋଇ ରହିନାହିଁ। ମଧ୍ୟପ୍ରଦେଶର ମଣ୍ଡସୋର ଜିଲା ସଦରଠାରୁ ୨୫କିମି ଦୂର ଏକ ଗ୍ରାମରୁ ଜଣେ ଚାଷୀଙ୍କ ଜମିରୁ ୩୦ ହଜାର ଟଙ୍କାର ପିଆଜ ଖୋଳି ନେଇଯାଇଛନ୍ତି ଦୁର୍ବୃତ୍ତ। ପିଆଜ ଦର ବୃଦ୍ଧି ପରେ ଦେଶରେ ପ୍ରଥମ ଥର ଏପରି ଘଟଣା ଘଟିଥିବା କୁହାଯାଉଛି।
ରିଚ୍ଚା ଗ୍ରାମର ଚାଷୀ ଜିତେନ୍ଦ୍ର ଧନଗର ନାରାୟଣଗଡ଼ ଥାନାରେ ଅଭିଯୋଗ କରିଛନ୍ତି, ସେ ନିଜ ଜମିରେ ପିଆଜ ଚାଷ କରିଥିଲେ। ଏଥର ଭଲ ଫସଲ ହୋଇଥିଲା। ଦର ବୃଦ୍ଧି ଥିବାରୁ ଭଲ ଦି ପଇସା ରୋଜଗାର କରିବା ଆଶାରେ ଥିଲେ। ହେଲେ ସୋମବାର ରାତିରେ ଜମିରୁ ୭ କୁଇଣ୍ଟାଲ ପିଆଜ ଦୁର୍ବୃତ୍ତମାନେ ଖୋଳି ନେଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ। ସେ ଆହୁରି ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି, ଅଭିଯୁକ୍ତମାନେ ପିଆଜ ନେଇଯାଇଛନ୍ତି, ହେଲେ ଏହାର ସବୁଜ ଷଣ୍ଢାକୁ ଜମିରେ ପକାଇ ଦେଇଛନ୍ତି। ଏ ନେଇ ଥାନାଧିକାରୀ ଆର୍‌.ଏସ୍‌. ଦିଲବାଲା କୁହନ୍ତି, ଚାଷୀଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି। କ୍ଷେତ୍ର ପରିଦର୍ଶନ କରି ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
କିଛିଦିନ ହେଲା ପିଆଜ ଦର ଆକାଶଛୁଅଁା ହୋଇଛି। ୧୫ରୁ ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୧୦୦ ଟିପିଲାଣି। ଏଥିପୂର୍ବରୁ ନାସିକରୁ ଗୋରଖପୁର ଯାଉଥିବା ଏକ ପିଆଜ ଟ୍ରକ୍‌କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ। ଉକ୍ତ ଟ୍ରକ୍‌ରୁ ୨୦ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଟ୍ରକ୍‌କୁ ଶିବପୁରୀ ଅଞ୍ଚଳରୁ ଠାବ କରାଯାଇଥିଲା। ହେଲେ ଗାଡ଼ିରେ ଥିବା ୪୦ ଟନ ପିଆଜକୁ ଚୋରମାନେ ଗାଏବ କରିଦେଇଥିଲେ।

Share