କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା ପରେ ମା ବାପା ଖୁସିରେ ଆତ୍ମହରା ହୋଇ ପଡିଥିଲେ। ହେଲେ ଏହି ଖୁସି ବେଶୀଦିନ ରହିଲା ନାହିଁ। ଜନ୍ମର କିଛି ଦିନ ପରେ ପୁଅକୁ ହେଲା ଟ୍ୟୁମର। ଟ୍ୟୁମରରୁ ପୁଣି କ୍ୟାନସର। ଚିକିତ୍ସା ପାଇଁ ବୁର୍ଲାରୁ କଟକ ନେଇଛନ୍ତି। ସବୁଠି ନିରାଶ। ଏବେ ସାଇରାଜ୍‌ଙ୍କୁ ଚିକିତ୍ସା ପାଇଁ ଯିବାକୁ ହେବ ବମ୍ବେସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ । ହେଲେ ଦୁଇ ଓଳି ଖାଇବା ପାଇଁ ଦାନା ନଥିବା ସହଦେବଙ୍କ ପରିବାର ପାଇଁ ଅର୍ଥ ବାଧକ ସାଜିଛି ।
ଜନ୍ମ ହେବାର କିଛି ଦିନ ପରେ ସାଇରାଜଙ୍କ ପେଟ ଫୁଲିଲା । ପ୍ରାଥମିକ ଚିକିତ୍ସା ପରେ ଜଣାପଡିଲା ପେଟରେ ଟ୍ୟୁମର ହୋଇଛି । ଚିକିତ୍ସା ପାଇଁ ଘରେ ଯାହାଥିଲା, ବାପା ଅଜା ସମ୍ପତ୍ତି ବିକ୍ରି କରି ସହଦେବ ପୁଅର ଟ୍ୟୁମର ଅପରେଶନ କରାଇଲେ। ହେଲେ ମାସକ ପରେ ଜଣାପଡିଲା ସେ କ୍ୟାନସରରେ ପୀଡିତ। ଏବେ ଶ୍ରମଜୀବୀ ମା ବାପାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଛି । ଯେଉଁ ବୟସରେ ପିଲାମାନେ ସାଙ୍ଗସାଥୀ ମେଳରେ ଗାଁ ଦାଣ୍ଡରେ ଧୂଳି ଖେଳିବା କଥା ସେହି ବୟସରେ ମାର କୋଳ ହିଁ ତା ପାଇଁ ଆଶ୍ରା ପାଲଟିଛି । ଘରେ ଦୁଇଓଳି ଖାଇବାକୁ ଦାନା ନଥିବା ବେଳେ ପୁଅର ଚିକିତ୍ସା କିପରି କରିବେ ସେହି ଚିନ୍ତାରେ ପଡି ଯାଇଛନ୍ତି ମା’ବାପ। ସହଦେବ କୁହନ୍ତି, ଘରେ ଯାହାଥିଲା ବିକ୍ରିକରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ପୁଅର ଅସ୍ତ୍ରୋପଚାର କରିଥିଲେ। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମାସକ ପରେ ପୁଣି ଅସ୍ତ୍ରୋପଚାର କରିବାକୁ ହେବ। ହେଲେ ଏଥିପାଇଁ ସମ୍ବଳ ନାହିଁ କି ଶକ୍ତି ନାହିଁ । ସେହିପରି ଭୁବନେଶ୍ୱର ଏମ୍‌ସର ଡାକ୍ତରଙ୍କ କହିବା କଥା ବମ୍ବେ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କଲେ ପୁଅ ଭଲ ହେବ। ଏଥିପାଇଁ ଆବଶ୍ୟକ ୪ ଲକ୍ଷ ଟଙ୍କା । ସେପଟେ ରୋଗ ବଢିବଢି ଯାଉଛି। ସରକାରୀ ସହାୟତା ପାଇଁ ମା ବାପା ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏଁ ଆବେଦନ କରିଛନ୍ତି। ହେଲେ କିଛି ସୁଫଳ ମିଳିନି। ଅପରପକ୍ଷେ ଟାଟା ମେମୋରିଆଲ ହସ୍ପିିଟାଲରୁ ଚିକିତ୍ସାର ବ୍ୟୟ ଅଟକଳ ଆଣିଲେ ଚିକିତ୍ସା ସହାୟତା ପ୍ରଦାନ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡା କହିଛନ୍ତି। ହେଲେ ଏହି ପରିସ୍ଥିତିରେ ସହଦେବ ବ୍ୟୟ ଅଟକଳ ଆଣିବା ପାଇଁ ପୁଅକୁ ନେଇ ବମ୍ବେ ଯିବାକୁ ଆବଶ୍ୟକ ଅର୍ଥ ଯୋଗାଡ କରି ପାରୁ ନାହାନ୍ତି । ଏହି ଅସହାୟ ଗରିବ ପରିବାରକୁ ତୁରନ୍ତ ଜିଲା ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦୁମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି ।

Share