କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ ଉଦାହରଣ ଦେଖିବା ପରେ ଆପଣ ହୁଏତ କହିବେ, “ସତରେ ଜୀବନରେ କିଛି ଅସାଧ୍ୟ ନୁହେଁ।” ୩୭ ବର୍ଷୀୟା ଆମେରିକୀୟ ମହିଳା ସାରା ଥୋମସ୍‌ ଇଂଲିଶ୍‌ ଚ୍ୟାନେଲକୁ ଲଗାତର ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସାରା ଗତ ରବିବାର ସକାଳୁ ଏହି ଲକ୍ଷ୍ୟ ସହ ପହଁରା ଆରମ୍ଭ କରିଥିବାବେଳେ ୫୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଅଲ୍‌ଟ୍ରା ମାରାଥନ୍‌ ସ୍ବିମର୍‌ ସାରା ଥୋମସ୍‌ ସ୍ତନ କର୍କଟରେ ପୀଡିତ ଥିଲେ ଓ ଗତବର୍ଷ ଅର୍ଥାତ ୨୦୧୮ରେ ତାଙ୍କ ଚିକିତ୍ସା ଶେଷ ହୋଇଛି। ସାରା ନିଜର ଏହି ବିଜୟକୁ କର୍କଟ ରୋଗରୁ ମୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।
ସାରା ପ୍ରଥମ ବ୍ୟକ୍ତି ଭାବେ ଇଂଲିଶ୍‌ ଚ୍ୟାନେଲ୍‌କୁ କ୍ରମାଗତ ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିଜର ଅନ୍ତିମ ରାଉଣ୍ଡ ଶେଷ କରୁଥିବା ସମୟରେ ଏକ ବିରାଟ ବଡ଼ ଜୁଆର ତାଙ୍କ ଉପରକୁ ମାଡ଼ି ଆସି ପଛକୁ ଫିଙ୍ଗି ଦେଇଥିଲା, କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ସେ ଏହି ଚ୍ୟାଲେଞ୍ଜ ପୂରଣ କରିଥିଲେ। ଏଭଳି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ସାରା କହିଛନ୍ତି, “ଆମେ ସତରେ ଏହା ସମ୍ପୂର୍ଣ୍ଣ କରିପାରିଛୁ ବୋଲି ମୁଁ ବିଶ୍ୱାସ କରିପାରୁନି। ଲୁଣିଆ ପାଣି କାରଣରୁ ଏହି ଯାତ୍ରା ଆହୁରି କଷ୍ଟଦାୟକ ଥିଲା। ଅନେକ ଲୋକ ମୋତେ ଦେଖା କରିବାକୁ ବେଳାଭୂମି ନିକଟକୁ ଆସିଥିଲେ, ମୋତେ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ଥିବା ମୁଁ ଅନୁଭବ କରିିଥିଲି। ” ପ୍ରକାଶ ଥାଉ କି, ପୂର୍ବରୁ କେବଳ ୪ଜଣ ସ୍ବିମର୍‌ ବିଶାଳ ଇଂଲିଶ୍‌ ଚ୍ୟାନେଲକୁ କ୍ରମାଗତ ତିନିଥର ପହଁରି ସାରିଛନ୍ତି। ତେବେ କ୍ରମାଗତ ୪ ଥର ପହଁରି ପ୍ରଥମ ବ୍ୟକ୍ତି ଭାବେ ସାରା ଥୋମସ୍‌ ଏହି ରେକର୍ଡ ଭାଙ୍ଗିଛନ୍ତି।

Share