Categories: ମେଟ୍ରୋ

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଚକ୍ଷୁରୋଗୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ବିନା ମୂଲ୍ୟରେ ଯୋଗାଇଦେବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ନିର୍ଦ୍ଦେଶକ୍ରମେ ସୁନେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଏ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଓଟିର ମଧ୍ୟ ବ୍ୟବସ୍ଥା କରିଛନ୍ତି। ରେଟିନା ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଚକ୍ଷୁରୋଗ ବିଶେଷଜ୍ଞ ଡା. ଅଶ୍ୱିନୀ ମେହେର୍ଦ୍ଦା ଦିଲ୍ଲୀ ଏମ୍‌ସକୁ ଯାଇ ତାଲିମ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ବେସରକାରୀ ସ୍ତରରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ୬୦ରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ବ୍ୟୟ କରିବାକୁ ପଡୁଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଏହି ସେବା ଆରମ୍ଭ ହେବା ପରେ ଦୈନିକ ପ୍ରାୟ ୧୦ ରୁ ୧୫ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିବା ଡା. ମେହେର୍ଦ୍ଦା ସୂଚନା ଦେଇଛନ୍ତି। ଏପରିକି ମଧୁମେହରେ ଆକ୍ରାନ୍ତ ହୋଇ ଚକ୍ଷୁରେ ଗ୍ଲୁକୋମା ସମସ୍ୟା ଭୋଗୁଥିବା ରୋଗୀଙ୍କୁ ମଧ୍ୟ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକ୍ସନ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ଖୋଲା ବଜାରରେ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡୁଛି। କ୍ୟାପିଟାଲ ହସ୍ପିଟାଲରେ ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ବ୍ୟୟବହୁଳ ରେଟିନା ଅସ୍ତ୍ରୋପଚାର ରାଜ୍ୟର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ବୋଲି ଜଣାଯାଇଛି।

Share