କ୍ୟାପିଟାଲ ହସ୍ପିଟାଲରେ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ବୁଧବାର ହସ୍ପିଟାଲ ପରିସରରେ ଜରାରୋଗୀ ୱାର୍ଡ ବା ଜେରିଆଟ୍ରିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି। ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ବୟସାଧିକ୍ୟ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଏହି ଓ୍ବାର୍ଡ ଖୋଲାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ୧୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ସମସ୍ତ ପ୍ରକାର ସୁବିଧା ରହିଛି। ଏହା ଦ୍ୱାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
ଅପରାହ୍ନରେ ମନ୍ତ୍ରୀ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ବାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିବା ସହ ଏଠାକୁ ଆସୁଥିବା ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସାସେବା ମିଳିପାରିବ, ତା’ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପରେ ନହରକଣ୍ଟାଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନବନିର୍ମିତ ବିଲ୍‌ଡିଂକୁ ଉଦ୍‌ଘାଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share