କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥ୍‌ରେ ପ୍ରସବ: ସ୍ବାସ୍ଥ୍ୟ ସଚିବଙ୍କୁ ତଦନ୍ତ ରିପୋର୍ଟ ଦେଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥ୍‌ରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଥିଲେ, ଯାହାକୁ ନେଇ ଶୁକ୍ରବାର ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଶନିବାର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିପାଇଁ ଡାକ୍ତର କିମ୍ବା ଡାକ୍ତରଖାନାର ଦୋଷ ନ ଥିବା ପଟ୍ଟନାୟକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ଟିମ୍‌ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ‘ମୋ ସରକାର’ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି। ଶୁକ୍ରବାର ରାତି ପ୍ରାୟ ୮ଟାରେ ସାଲିଆସାହିରେ ରହୁଥିବା ପାନା ମୁର୍ମୁ ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଏମ୍‌ସିଏଚ୍‌ରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଲେବର ରୁମ୍‌କୁ ନିଆଯାଇଥିଲା। ମାତ୍ର ଅଭିଯୋଗ ଅନୁସାରେ, ସେଠାରେ ତାଙ୍କର ପ୍ରସବ କରାଯାଇ ନ ଥିଲା। ଅବସ୍ଥା ଜଟିଳ ଅଛି, କଟକ ନେଇଯିବାକୁ କୁହାଯାଇଥିଲା। କିନ୍ତୁ ପାନାଙ୍କ ଯନ୍ତ୍ରଣା ଓ ଅବସ୍ଥା ଦେଖି ପରିବାର ଲୋକେ ଏହିଠାରେ ପ୍ରସବ କରାଇବାକୁ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ଯନ୍ତ୍ରଣାରେ ଛଟପଟ ହେଉଥିବା ପାନାଙ୍କୁ ଲେବର ରୁମ୍‌ରୁ ବାହାର କରି ଦିଆଯାଇଥିଲା। କଟକ ନେବାଲାଗି ଟଙ୍କା ନ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ପାନାଙ୍କୁ ହସ୍ପିଟାଲ ପରିସର ଫୁଟପାଥ୍‌ରେ ବସାଇ ତାଙ୍କ ସ୍ବାମୀ ସମ୍ପର୍କୀୟଙ୍କ ସହଯୋଗ ଲୋଡୁଥିଲେ। ଏହି ସମୟରେ ପାନାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିଲା। ତାଙ୍କୁ ପରିବାର ଲୋକେ ପୁଣି ହସ୍ପିଟାଲ ଭିତରକୁ ନେବାକୁ ଉଦ୍ୟମ କରୁଥିବାବେଳେ ପାନା ଫୁଟ୍‌ପାଥ ଉପରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏହାଦେଖି ଉପସ୍ଥିତ ଲୋକେ ଉତ୍ତେଜିତ ହୋଇ ହୋହଲ୍ଲା କରିଥିଲେ। ଘଟଣା ପରେ ଉକ୍ତ ରାତିରେ ଦାୟିତ୍ୱରେ ଥିବା ଦୁଇ ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇଥିଲା। ସେମାନେ କହିଥିଲେ, ଉକ୍ତ ମହିଳାଙ୍କ କ୍ଷେତ୍ରରେ କୌଣସି ଅବହେଳା କରାଯାଇ ନାହିଁ। ରାତି ୭ଟାରେ ମହିଳାଙ୍କୁ ଧରି ତାଙ୍କ ସ୍ବାମୀ ହସ୍ପିଟାଲ ଆସିଥିଲେ। ଆଡ୍‌ମିଶନ ପାଇଁ କାଉଣ୍ଟରରୁ ଟିକେଟ ଆଣିବାକୁ କୁହାଯାଇଥିଲା। ହେଲେ ସେମାନେ ଟିକେଟ ଆଣିବାକୁ ଯାଇ ଘରକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ଅଧିକ ଯନ୍ତ୍ରଣା ହେବାରୁ ପୁଣି ତାଙ୍କୁ ହସ୍ପିଟାଲ ଆଣିବାବେଳେ ଫୁଟ୍‌ପାଥ୍‌ରେ ପ୍ରସବ ହୋଇଥିଲା। ଏହାପରେ ସେଠାରୁ ଉଭୟ ମା’ ଓ ଶିଶୁଙ୍କୁ ହସ୍ପିଟାଲ ଅଣାଯାଇ ତୁରନ୍ତ ଚିକିତ୍ସା କରାଯାଇଥିଲା।
ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶନିବାର ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଛନ୍ତି। ଏ ସଂକ୍ରାନ୍ତରେ ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କ୍ଷୋଭ ପ୍ରକାଶ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଜି ତାହାର ପରିସମାପ୍ତି ଘଟିଛି। ଜଣେ ମହିଳାଙ୍କୁ ହସ୍ପିଟାଲରୁ ଫେରାଇ ଦିଆଯିବା ଓ ଫୁଟ୍‌ପାଥ୍‌ରେ ପିଲା ଜନ୍ମ ହେବା ଘଟଣାରୁ ସରକାରଙ୍କ ଏହି ଯୋଜନା କେବଳ ପ୍ରହସନ ଓ ପ୍ରଚାର ସର୍ବସ୍ବ ବୋଲି ସେ କହିଛନ୍ତି।

Share