Advertisement

କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମୋହର: ୩ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ; ଶଙ୍କରାଚାର୍ଯ୍ୟ ମଠ, ଲାଞ୍ଜିଗଡ ରେଳ ପ୍ରକଳ୍ପକୁ ଜମି

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟ ସରକାର ବସୁଧା ଯୋଜନାରେ ପୁରୀ ଓ ନବରଙ୍ଗପୁର ଜିଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଘରୋଇ ଶିକ୍ଷାନୁଷ୍ଠାନ ଏସିଆନ ସ୍କୁଲ ଅଫ୍‌ ବିଜ୍‌ନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)କୁ ଡିମ୍‌ଡ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ। ଏଥିପାଇଁ ଚଳିତ ବିଧାନସଭାରେ ଏ ନେଇ ଏକ ବିଲ୍‌ ଆଗତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥି ମଧ୍ୟରେ ରାଜସ୍ବ ବିଭାଗର ୫ଟି ପ୍ରସ୍ତାବ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ୨, ପଞ୍ଚାୟତିରାଜ ବିଭାଗର ୩, ସମବାୟ ବିଭାଗର ୨, ସାଧାରଣ ପ୍ରଶାସନ ବିଭାଗର ୧ ଏବଂ ଅନ୍ୟାନ୍ୟ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ବିଧାନସଭା ଚାଲିଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ଏଥିସହିତ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମଠକୁ ଜମି ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଲାଞ୍ଜିଗଡ଼ ସମେତ ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ କ୍ୟାବିନେଟ ଅନୁମୋଦନ କରିଛି। ଲୋକାୟୁକ୍ତ ଆଇନରେ ଥିବା କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share