କ୍ୟାବିନେଟ୍‌ରୁ ଶଶିଭୂଷଣ, ବଦ୍ରି, ଉଷା, ପ୍ରଫୁଲ୍ଲ ସାମଲ ବାଦ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ୧୧ କ୍ୟାବିନେଟ୍‌ ଏବଂ ୯ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ଏବଂ ଅଭିଜ୍ଞଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆଶାୟୀ ଥିବା ଏକାଧିକ ପ୍ରଭାବଶାଳୀ ନେତାଙ୍କୁ ପୂର୍ବପରି ସଂଗଠନ ଦାୟିତ୍ୱରେ ରଖାଯାଇଛି। ପୂର୍ବଥର ମନ୍ତ୍ରୀ ଥିବା କେତେକଙ୍କୁ ଚଳିତ ଥର ବାଦ୍‌ ଦିଆଯାଇଛି।
ଚଳିତ ଥର ବିଜୟଶ୍ରୀ ରାଉତରାୟ, ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ସୂର୍ଯ୍ୟ ପାତ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ , ମହେଶ୍ୱର ମହାନ୍ତି (ପରାଜିତ), ରମେଶ ମାଝିଙ୍କୁ କ୍ୟାବିନେଟ୍‌ରେ ଦେଖିବାକୁ ମିଳିବ ନାହିଁ। ବିଜୟଶ୍ରୀ ନିର୍ବାଚନ ଲଢି ନ ଥିଲେ। ରମେଶ ମାଝି ନବରଙ୍ଗପୁର ଲୋକ ସଭା ଆସନରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ସୂର୍ଯ୍ୟଙ୍କୁ ମନ୍ତ୍ରୀପଦ ବଦଳରେ ଚଳିତଥର ବାଚସ୍ପତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ବଦ୍ରି ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ କରାଯାଇନାହିଁ। ସେହିପରି ଗତଥର ରାଷ୍ଟ୍ରମନ୍ତ୍ରୀ ଥିବା ନୃସିଂହ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥି ବେହେରା ଓ ଅନନ୍ତ ଦାସଙ୍କୁ ପୁନର୍ବାର ସୁଯୋଗ ଦିଆଯାଇନାହିଁ। ସେହିଭଳି ଆଲୋଚିତ ବହୁ ପ୍ରମୁଖ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହଁି। । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏମାନେ ହେଉଛନ୍ତି- କେନ୍ଦ୍ରାପଡା ଜିଲାରୁ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଶଶିଭୂଷଣ ବେହେରା, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରରୁ ରୋହିତ ପୂଜାରୀ, କଟକରୁ ଦେବୀ ପ୍ରସାଦ ମିଶ୍ର, ଗଞ୍ଜାମ ଜିଲାରୁ ଉଷା ଦେବୀ ଓ ପ୍ରଦୀପ ପାଣିଗ୍ରାହୀ, କଳାହାଣ୍ଡିରୁ ଭୂପିନ୍ଦର ସିଂ, ବୌଦ୍ଧରୁ ପ୍ରଦୀପ ଅମାତ ଏବଂ ନୟାଗଡରୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ।

Share