Categories: ବାଣିଜ୍ୟ

କ୍ୟାବିନେଟ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌

ନୂଆଦିଲ୍ଲୀ,୧୯ -୯: କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍‌ ଦେବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଏଠାରେ ବସିଥିବା କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୧ଲକ୍ଷ ୫୨ ହଜାର ରେଳ କର୍ମଚାରୀଙ୍କୁ ସେମାନଙ୍କର ୭୮ ଦିନର ଦରମାକୁ ବୋନସ୍‌ ଆକାରରେ ପ୍ରଦାନ କରାଯିବ। ଏଥିପାଇଁ ରେଳଓ୍ବେକୁ ୨୦୨୪.୩୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଜାଭଦେକର କହିଛନ୍ତି ଯେ, ଗତ ୬ ବର୍ଷ ହେବ ସରକାର କ୍ରମାଗତ ଭାବେ ରେଳ କର୍ମଚାରୀଙ୍କୁ ବୋନସ୍‌ ଦେଇ ଆସୁଛନ୍ତି। ରେଳ କର୍ମଚାରୀଙ୍କୁ ସେମାନଙ୍କର ଉତ୍ପାଦକତା ବୃଦ୍ଧି ପାଇ ପୁରସ୍କାର ସ୍ବରୂପ ବୋନସ୍‌ ଦିଆଯାଉଛି। ଏହାଦ୍ୱାରା ରେଳ କର୍ମଚାରୀ ପ୍ରୋତ୍ସାହିତ ହେବେ ଓ ସମ୍ପୂର୍ଣ୍ଣ ଶକ୍ତି ଦେଇ କାମ କରିବେ। ଭାରତୀୟ ରେଲଓ୍ବେ ଦେଶର ଜୀବନ ରେଖା ହୋଇଥିବାରୁ ଏହି ଦୃଷ୍ଟିରୁ ଉକ୍ତ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ରେଲଓ୍ବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ପ୍ରଥମ ସରକାରୀ ସଂସ୍ଥା ଯିଏ କି ଉତ୍ପାଦକତା ଆଧାରରେ ବୋନସ୍‌ ବ୍ୟବସ୍ଥାକୁ ୧୯୭୯-୮୦ରୁ ଆରମ୍ଭ କରିଥିଲା। ରେଳଓ୍ବେ ପକ୍ଷରୁ ଭିତ୍ତିଭୂମି ସହାୟତା ପ୍ରଦାନ ମାଧ୍ୟମରେ ଦେଶର ଅର୍ଥନୀତିରେ ଏହାର ପ୍ରଦର୍ଶନକୁ ଭିତ୍ତି କରି ଏଭଳି ବୋନସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।

Share