Categories: ବାଣିଜ୍ୟ

କ୍ୟାବିନେଟ ନିଷ୍ପତ୍ତି;୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୮-୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ୧୫ତମ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳକୁ ଏକ ମାସ ବୃଦ୍ଧି କରିଛନ୍ତି। ଏଣିକି ଆୟୋଗଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏଥିସହିତ ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଲାଗି ପାଣ୍ଠିକୁ ମଧ୍ୟ ଆୟୋଗ ପରିସରଭୁକ୍ତ କରିବା ଲାଗି ଆଗତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ସୂଚନାଥାଉ କି, କେନ୍ଦ୍ର ସରକାର ୨୦୧୭ ନଭେମ୍ବର ୨୭ରେ ଏନ.କେ.ସିଂଙ୍କ ଅଧ୍ୟକ୍ଷତାରେ ୧୫ତମ ଅର୍ଥ ଆୟୋଗ ଗଠନ କରିଥିଲେ। ଆୟୋଗ ଅନ୍ୟ ପ୍ରସଙ୍ଗ ସହିତ ୨୦୨୦ ଏପ୍ରିଲ ପହିଲାରୁ ୫ ବର୍ଷ ଲାଗି କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବାକୁ ଥିବା ପାଣ୍ଠି ସମ୍ପର୍କରେ ଫର୍ମୁଲା ପ୍ରସ୍ତାବ ଦେବେ।
ଆଇବିସି ଆଇନରେ ୭ ସଂଶୋଧନକୁ ମଞ୍ଜୁରୀ
କେନ୍ଦ୍ର କ୍ୟାବିନେଟ ଋଣ ସମାଧାନ ଅକ୍ଷମତା ସଂହିତା(ଆଇବିସି)ରେ ୭ଟି ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି। ଆଇବିସିରେ ଥିବା ତ୍ରୁଟିବିଚ୍ୟୁତିକୁ ଦୂର କରିବା ଏହାର ଲକ୍ଷ୍ୟ। ଏହାଦ୍ୱାରା ସମାଧାନ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟ ହାସଲ କରାଯାଇପାରିବ। ସରକାର ନିର୍ଦ୍ଧାରିତ ସମୟସୀମାକୁ କଡ଼ାକଡି ଭାବେ ପାଳନ କରିବାକୁ ସଂଶୋଧନରେ କୁହାଯାଇଛି।
କମ୍ପାନୀ ଆଇନ ବିଲ୍‌ ସଂଶୋଧନକୁ ଅନୁମୋଦନ
କେନ୍ଦ୍ର କ୍ୟାବିନେଟ ବୁଧବାର କମ୍ପାନୀ ଆଇନ, ୨୦୧୩ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହି ବିଲ୍‌ ୨୦୧୯ରେ ଜାରି ଅଧ୍ୟାଦେଶର ସ୍ଥାନ ନେବ। ଆନୁଷ୍ଠାନିକ ବିଜ୍ଞପ୍ତି ଅନୁସାରେ ପ୍ରସ୍ତାବିତ ସଂଶୋଧନ ଦ୍ୱାରା କାରବାର ସୁଗମତା ଆହୁରି ବଢ଼ିବ ତଥା ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ ଏବଂ ସ୍ବତନ୍ତ୍ର ଅଦାଲତରେ ଚାଲୁଥିବା ମୋକଦ୍ଦମା ବୋଝ ଅନେକାଂଶରେ କମିବ। ଏହାଦ୍ୱାରା ଆଇନର ଉଲ୍ଲଂଘନ ସଂକ୍ରାନ୍ତ ମାମଲାର ଶୁଣାଣି ଉପରେ ଅଧିକ ଜୋର୍‌ ଦିଆଯିବ। ଏହାଛଡ଼ା କମ୍ପାନୀ ପକ୍ଷରୁ ଆଇନ ପାଳନ ଅଧିକ ସୁବ୍ୟବସ୍ଥିତ ହେବ।

Share