Categories: ଜାତୀୟ

କ୍ୟାବିନେଟ ନିଷ୍ପତ୍ତି: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୨୩।୧୦: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ନେଇ ବୁଧବାର ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଯୋଜନାକୁ ମଞ୍ଜୁରୀ ମିଳିଛି। ଏନେଇ ସୂଚନା ଦେଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏଥିସହ ସେ କହିଛନ୍ତି, ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍‌ ସଂସ୍ଥା ବନ୍ଦ ହେବନି କିମ୍ବା ସେଥିରୁ ପୁଞ୍ଜି ପ୍ରତ୍ୟାହାର ହେବନି। କୌଣସି ଘରୋଇ କମ୍ପାନୀ ମଧ୍ୟ ଏହାକୁ ଭଡ଼ାରେ ନେବେନି ବୋଲି ଟେଲିକମ୍‌ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ଦୁଇ ଟେଲିକମ୍‌ ସଂସ୍ଥାର ମିଶ୍ରଣ ଓ ପୁନରୁଦ୍ଧାର ଲାଗି ସରକାର ୨୯,୯୩୭ କୋଟି ଟଙ୍କା ଯୋଗାଇଦେବେ। ସରକାରଙ୍କ ପକ୍ଷରୁ ୧୫ ହଜାର କୋଟି ଟଙ୍କା ସୋଭେରେନ ବଣ୍ଡ ଆକାରରେ ଦିଆଯିବ। ସେହିଭଳି ୩୮ ହଜାର କୋଟି ଟଙ୍କା ମୂଲ୍ୟର ଆସେଟର ଆର୍ଥିକୀକରଣ କରାଯିବ। ଫଳରେ ଦୀର୍ଘ ଦିନରୁ କ୍ଷତିରେ ଚାଲୁଥିବା ଏହି ଦୁଇ ସରକାରୀ କମ୍ପାନୀ ବନ୍ଦ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାର ଏବେ ଅନ୍ତ ଘଟିଛି। ଦୁଇ ଟେଲିକମ୍‌ କମ୍ପାନୀର ଖର୍ଚ୍ଚ କାଟ ପାଇଁ ଯେଉଁ କର୍ମଚାରୀମାନେ ଚାହିଁବେ ସେମାନଙ୍କୁ ଭିଆରଏସ୍‌ ଯୋଜନାରେ ସହାୟତା ଯୋଗାଇଦେବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବିଏସ୍‌ଏନଏଲ୍‌ରେ ୧.୭୬ ଲକ୍ଷ କର୍ମଚାରୀ ନିୟୋଜିତ ଥିଲା ବେଳେ ଗତ ୨୦୧୮-୧୯ ଆର୍ଥତ୍କ ବର୍ଷର ଏହାର କ୍ଷତି ପରିମାଣ ଥିଲା ୧୩,୮୦୪ କୋଟି ଟଙ୍କା।

Share