Categories: ଜାତୀୟ

କ୍ୟାବିନେଟ ପାଇଁ କସରତ: ଶିବସେନା ୧୫, ଏନ୍‌ସିପି ୧୫, କଂଗ୍ରେସ ଭାଗରେ ୧୩ ମନ୍ତ୍ରୀପଦ

ମୁମ୍ବାଇ,୨୮ା୧୧(ପି.ଟି.): ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାବେଳେ ବୁଧବାର ମହାରାଷ୍ଟ୍ର ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ କ୍ୟାବିନେଟର ରୂପରେଖ ସ୍ଥିର କରାଯାଇଛି। ମନ୍ତ୍ରିମଣ୍ଡଳରେ ୪୩ ସଦସ୍ୟ ରହିବେ। ଶିବସେନା ଓ ଏନ୍‌ସିପିର ୧୫ ଜଣ ଲେଖାଏ ବିଧାୟକ ଏଥିରେ ସ୍ଥାନ ପାଇବେ। ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସକୁ ୧୩ ମନ୍ତ୍ରୀପଦ ସହ ବାଚସ୍ପତି ପଦବୀ ମିଳିବ ବୋଲି କୁହାଯାଉଛି। ମିଳିଥିବା ସୂଚନାନୁସାରେ ଦକ୍ଷିଣ ମୁମ୍ବାଇର ଓ୍ବାଇ.ବି. ଚଭନ ସେଣ୍ଟରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍ଧବ ଓ ତାଙ୍କ ଦଳର କେତେଜଣ ନେତାଙ୍କ ସହ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, କଂଗ୍ରେସ ନେତା ଅହମଦ ପଟେଲ ପ୍ରମୁଖ ଉପସ୍ଥିିତ ଥିଲେ। ଶିବସେନା ପାଖରେ ପୂରା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ରହିବ ବୋଲି ସହମତି ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ପଦ ଏନ୍‌ସିପି ଭାଗରେ ପଡ଼ିଛି। ଏହି ପଦ ପାଇଁ ବିଧାୟକ ଦଳ ନେତା ଜୟନ୍ତ ପାଟିଲ ପ୍ରମୁଖ ଆଶାୟୀ ଥିବାବେଳେ ଘରବାହୁଡ଼ା କରି କାକା ଶରଦ ପାଓ୍ବାରଙ୍କ ବୋଲ ମାନିଥିବା ଅଜିତ ମଧ୍ୟ ଲବି କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସକୁ ବାଚସ୍ପତି ପଦ ଦିଆଯିବ ଓ ଏଥିପାଇଁ ଆସନ୍ତା ୩୦ରେ ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି। ଏହି ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ ରହିଛନ୍ତି। ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୨୮୮ ହୋଇଥିବାରୁ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ଏହାର ୧୫%ରୁ ଅଧିକ ହେବ ନାହିଁ। ତେଣୁ ମନ୍ତ୍ରୀଙ୍କ ସଂଖ୍ୟା ୪୩ରେ ସୀମିତ ରଖାଯାଇଛି।
ସେପଟେ ଉଦ୍ଧବଙ୍କ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ପୁଅ ଆଦିତ୍ୟ ଠାକ୍‌ରେ ନୂଆଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଭେଟିଛନ୍ତି। ଉଦ୍ଧବ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଶପଥଗ୍ରହଣ ପାଇଁ ଶିବାଜୀ ପାର୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

Share