Categories: ଜାତୀୟ

କ୍ୟାବିନେଟ ବୈଠକ: କୃଷକ, ବ୍ୟବସାୟୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର, ନୀତିନ ଗଡକରି ଓ ନରେନ୍ଦ୍ର ସିଂ ତୋମାର କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାବିନେଟରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ଦ୍ୟୋଗର ପରିଭାଷାକୁ ବଦଳାଇ ଦିଆଯାଇଛି। ଏହି ଆଧାରରେ ଏବେ ୧ କୋଟି ନିବେଶ ଓ ୫ କୋଟି ଟଙ୍କାର କାରବାର କ୍ଷୁଦ୍ର ଉଦ୍ଦ୍ୟୋଗ ଶ୍ରେଣୀରେ କରାଯିବ। ୧୦ କୋଟିର ନିବେଶ ଓ ୫୦ କୋଟିର ଟର୍ନଓଭର ବ୍ୟବସାୟ ଲଘୁ ଓ ୨୦ କୋଟିର ନିବେଶ ସହ ୨୫୦ କୋଟିର କାରବାର ମଧ୍ୟମ ଉଦ୍ଦ୍ୟୋଗ ଶ୍ରେଣୀରେ ଆସିବ। ୨୦୦୬ରେ ଏମ୍‌ଏସ୍‌ଏମ୍‌ଇ ଧାରାର ୧୪ ବର୍ଷ ପରେ ଏହାକୁ ସଂଶୋଧନ କରାଯାଇଥିବା କୁହାଯାଉଛି। ଏହାଦ୍ୱାରା ପାଖାପାଖି ୨ ଲକ୍ଷ କମ୍ପାନୀ ଲାଭବାନ ହେବେ ବୋଲି ସୂଚନା ମିଳିଛି। ଏହାସହ ଧାନର ଏମଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ୧୮୬୮ ଟଙ୍କା ବଢାଯାଇଛି। ୧୪ଟି ଶସ୍ୟର ଏମଏସ୍‌ପି ମଧ୍ୟ ବୃଦ୍ଧି କରାଯାଇଛି। ବିଭିନ୍ନ ଫସଲର ଏମଏସ୍‌ପି ୫୦ରୁ ୮୩ ପ୍ରତିଶତ ବୃଦ୍ଧି କରାଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି। ଏହାସହ ‘ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି’ ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ଛୋଟ ଦୋକାନୀମାନେ ଲାଭବାନ ହୋଇପାରିବେ। ଏହି ଯୋଜନା ମାଧ୍ୟମରେ ସେମାନେ ଋଣ ନେଇପାରିବେ। ଏହାଦ୍ୱାରା ୫୦ ଲକ୍ଷ ଦୋକାନୀ ଉପକୃତ ହେବେ। ଏହି ଋଣକୁ ବର୍ଷକ ମଧ୍ୟରେ କିସ୍ତି ଆକାରରେ ସେମାନେ ପରିଶୋଧ କରିପାରିବେ।

Share