କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ବଚସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପାସପୋର୍ଟ ଅଫିସ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ପ୍ରଥମେ ବଚସା ଏବଂ ପରେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଅଭୟ ନାୟକ।

ସୂଚନାନୁଯାୟୀ, ପାସପୋର୍ଟ ଅଫିସ ନିକଟରେ ରବିନ୍ଦ୍ର ନାୟକଙ୍କ ଏକ କ୍ୟାବିନ୍‌ ଥିଲା। ହେଲେ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ଏହାକୁ ଓଲଟାଇ ଦେଇଥିଲେ। ପୂର୍ବରୁ ରବିନ୍ଦ୍ରଙ୍କ ସ୍ମୃତିରଞ୍ଜନ ସେଠୀଙ୍କ ସହ ତିକ୍ତତା ରହିଥିଲା। ଏଣୁ ସେ ଏପରି କରିଥିବା ସନ୍ଦେହ କରି ରବିନ୍ଦ୍ରଙ୍କ ପୁତୁରା ଅଭୟ ସ୍ମୃତିଙ୍କୁ ଏ ବିଷୟରେ ପଚାରିବାକୁ ଯାଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ କଥା କଟାକଟି ଏବଂ ବଚସା ହୋଇଥିଲା। ସ୍ମୃତି ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭୟଙ୍କୁ ମାରପିଟ୍‌ କରିଥିଲେ। ଫଳରେ ଅଭୟ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏଥିରେ ସ୍ମୃତି ଆହୁରୀ ରାଗି ଯାଇଥିଲେ। ବଡ଼ ଭାଇଙ୍କୁ ଏ ବିଷୟରେ ଜଣାଇବା ସହ ପାସପୋର୍ଟ ଅଫିସ ଛକ ନିକଟରେ ଅଭୟ ଥିବା ଦେଖି ତାଙ୍କୁ ଆକ୍ରମଣ କରିବାର ଯୋଜନା କରିଥିଲେ। ବଡ଼ଭାଇ ବିଜୟ ପହଞ୍ଚିବା ପରେ ସ୍ମୃତି ଅଭୟ ଏବଂ ଦାଦା ରବିନ୍ଦ୍ରଙ୍କୁ ଛୁରୀ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ ରବିନ୍ଦ୍ର ଫେରାର ହେବାରେ ସଫଳ ହୋଇଥିବା ବେଳେ ଅଭୟ କିନ୍ତୁ ବର୍ତ୍ତି ପାରି ନ ଥିଲେ। ଆକ୍ରମଣରେ ତାଙ୍କ ଛାତିର ତଳପଟେ ଆଘାତ ଲାଗିଥିଲା। ଏହି ସମୟରେ ଉକ୍ତ ବାଟ ଦେଇ ନୟାପଲ୍ଲୀ ଆଇଆଇସି ଡ୍ୟୁଟିକୁ ଯାଉଥିଲେ। ଘଟଣା ଉପରେ ତାଙ୍କର ନଜର ପଡ଼ିବା ବେଳେ ସେ ତୁରନ୍ତ ଗାଡ଼ି ରଖି ସ୍ମୃତିରଞ୍ଜନଙ୍କୁ କାବୁ କରିନେଇଥିଲେ। ସେହିଭଳି ଗୁରୁତର ଆହତ ଅଭୟଙ୍କୁ ଅଫିସ ଗାଡ଼ି ଯୋଗେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଛନ୍ତି।

Share