Categories: ଖେଳ

କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ର ଭାରତୀୟ ପୁରୁଷ ଟିଟି ଦଳ

ନୂଆଦିଲ୍ଲୀ,୪।୧୨ (ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଦଳ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଅଷ୍ଟମସ୍ଥାନକୁ ଉଠି ଭାରତ ଏହି ସଫଳତା ପାଇଛି। ବିଶ୍ୱର ୩୦ ନମ୍ବର ଖେଳାଳି ଜି. ସାଥିୟାଁ ଓ ୩୬ ନମ୍ବର ଖେଳାଳି ଶରଥ କମଲଙ୍କୁ ନେଇ ଠିତ ଭାରତୀୟ ଦଳ ୨୮୦ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ମଧ୍ୟ ୨୮୦ ପଏଣ୍ଟ ପାଇଛି। ତେବେ ଭାରତ ଗୋଟିଏ ସ୍ଥାନ ଆଗରେ ରହି ଅଷ୍ଟମ ସ୍ଥାନ ଅଧିକାର କରିଛି। ଗତ ସପ୍ତାହରେ ଅନୁଷ୍ଠିତ ସାଥିୟାଁ ଆଇଟିଟିଏଫ ବିଶ୍ୱକପ୍‌ର ପ୍ରି- କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ। ଫ୍ରାନ୍ସର ସିମନ ମାଉଜି ଓ ଜୋନାଥନ ଗ୍ରୋଥଙ୍କୁ ହରାଇ ସେ ଏହି ସଫଳତା ପାଇଥିଲେ। ଅଭିଜ୍ଞ କମଲ ୨ଟି ସ୍ଥାନ ଉପରକୁ ଉଠି ୩୬ ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆଇଟିଟିଏଫ୍‌ ଚ୍ୟାଲେଞ୍ଜ୍‌ ଇଣ୍ଡୋନେସିଆ ହରମିତ ଦେଶାଇ ୧୯ଟି ସ୍ଥାନ ଉପରକୁ ଉଠି ୮୫ତମ ସ୍ଥାନରେ ରହିବା ସହ ଟପ୍‌ -୧୦୦ରେ ସ୍ଥାନ ପାଇଛନ୍ତି। ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଚାଇନା ୧ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଜାପାନ ଓ ଜର୍ମାନୀ ଯଥ୍ରକ୍ରମେ ଦ୍ୱିତୀୟ ଓ ଦୃତୀୟ ସ୍ଥାନରେ ରହିଛନ୍ତି।
ମହିଳା ର଼୍ୟାଙ୍କିଙ୍ଗ୍‌ରେ ମନିକା ବାତ୍ରା ୬୧ତମ ସ୍ଥାନରେ ପୂର୍ବପରି ରହି ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଅହିକା ମୁଖାର୍ଜୀ ୧୧୮ ଓ ମାଧୁରିକା ପଟକାର ୧୨୪ତମ ସ୍ଥାନରେ ରହିଛନ୍ତି।

Share