Categories: ଖେଳ

କ୍ୟୁରେଟର ଦଲ୍‌ଜିତଙ୍କୁ କୋହଲି, ଶାସ୍ତ୍ରୀଙ୍କ ସମ୍ବର୍ଦ୍ଧନା

ମୋହଲି, ୧୯।୯(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ଅଭିଜ୍ଞ କ୍ୟୁରେଟର ଦଲଜିତ୍‌ ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ କିଛିଦିନ ତଳେ ଅବସର ଗ୍ରହଣ କରିଥିବା ଦଲଜିତ୍‌ଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୁରେଟର ହିସାବରେ ୭୭ ବର୍ଷୀୟ ଦଲଜିତ୍‌ ଅବସର ଗ୍ରହଣ କରିଥିଲେ। ସେ ଦୀର୍ଘ ୨୨ ବର୍ଷ ଧରି ଭାରତୀୟ କ୍ରିକେଟ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସିଛନ୍ତି। ଏହି ମ୍ୟାଚ୍‌ରେ ମଧ୍ୟ ସେ ପିଚ୍‌ ପ୍ରସ୍ତୁତିର ତଦାରଖ କରିଥିଲେ। ଏହି ଅବସରରେ କୋହଲି ଓ ଶାସ୍ତ୍ରୀ ଦଲଜିତ୍‌ଙ୍କୁ ଏକ ଫଳକ ପ୍ରଦାନ କରିଥିଲେ। ଦଲଜିତ୍‌ ମଧ୍ୟ ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ସେ ପଞ୍ଜାବ ପାଇଁ ୮୭ଟି ମ୍ୟାଚ୍‌ ଖେଳିଛନ୍ତି। ଭାରତୀୟ କ୍ରିକେଟକୁ ତାଙ୍କର ଅବଦାନ ପାଇଁ ବିଶେଷ ଭାବେ ସମ୍ମାନିତ କରାଯାଇଛି।

Share