କ୍ୱାରାଣ୍ଟାଇନକୁ ଗଲେ ପଶ୍ଚିମବଙ୍ଗ ଫେରନ୍ତା

ରସାଳପୁର, ୨୩।୪(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଯାଇଛି। ବାଲେଶ୍ୱର, ଭଦ୍ରଖ, ଯାଜପୁରରେ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରୁ କିଭଳି ରକ୍ଷା କରାଯିବ ସେନେଇ ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି। ପଶ୍ଚିମବଙ୍ଗ ଫେରନ୍ତା ଲୋକ ପ୍ରାୟ ଗ୍ରାମାଞ୍ଚଳର ହୋଇଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ଅନୁଧ୍ୟାନ କରିବା ପାଇଁ ପୋଲିସ୍‌ ଡିଜି ଅଭୟ ମଙ୍ଗଳବାର ବାଲେଶ୍ୱର ଓ ମୟୁରଭଞ୍ଜ ଗସ୍ତ କରି ସୀମାର ପରିସ୍ଥିତି ସମୀକ୍ଷା କରିଥିଲେ। ଡିଜିଙ୍କ ଗସ୍ତ ପୂର୍ବରୁ ବାଲେଶ୍ୱର ଜିଲା ସଦର ବ୍ଲକର ବିଡ଼ିଓ ତାଙ୍କ ଅଧିନରେ ଥିବା ୩୭ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଫେରନ୍ତା ଲୋକଙ୍କ ତାଲିକା ଦେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ୱାର୍ଡ଼ମେମ୍ବର ପର୍ଯ୍ୟନ୍ତ ଖୋଜି ବାହାର କରି ପୋଲିସ ସହାୟତାରେ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ରେ ମଙ୍ଗଳବାର ଭର୍ତ୍ତି କରିଛନ୍ତି। ୧୪ଦିନ ପର୍ଯ୍ୟନ୍ତ ସେମାନେ ସେହି କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ନିୟୋଜିତ ନୋଡ଼ାଲ ଅଫିସର ସୂଚନା ଦେଇଛନ୍ତି। ସଦର ବ୍ଲକ ଅଧୀନ ୩୭ଟି ପଞ୍ଚାୟତର ମଧ୍ୟରୁ ୧୮ଟି ପଞ୍ଚାୟତରୁ ୫୯ ଜଣ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଆଳୁମେଦା ପଞ୍ଚାୟତରୁ ୪ଜଣ, ବାହାବଳପୁରରୁ ଜଣେ, ଦୁବୁଲାଗଡ଼ିରୁ ୨, ଗୋପୀନାଥପୁରରୁ ୨, ହଳଦୀପଦାରୁ ଜଣେ, ହିଡ଼ିଗାଁରୁ ୨, ଜୟଦେବକସବାରୁ ୩, କଷାଫଳରୁ ୨, କସିପଦାରୁ ୭, ଖାନନଗରରୁ ୨, ନଗ୍ରମରୁ ୪, କୁରାଢ଼ିଆରୁ ୨, ପରୀକ୍ଷିରୁ ୧୯, ରସାଳପୁରରୁ ୪, ରୂପ୍‌ସାରୁ ଜଣେ, ସାରଗାଁରୁ ଜଣେ, ଶାସଙ୍ଗରୁ ଜଣେ, ଶ୍ରୀକୋଣାରୁ ଜଣେ ଲେଖାଏଁ ଭର୍ତ୍ତି ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।